କବିତା
ତୁଳସୀ

ତୁଳସୀ ଏମିତି ଗଛଟିଏ
ଚଉରାମୂଳରେ ଶୋଭା ପାଏ
ସଞ୍ଜ ଓ ସକାଳେ ନିଇତି ତାମୂଳେ
ଦୀପ ଧୂପ ସଦା ଲାଗିଥାଏ ।।
ଯେତେ ପୂଜା ଆଉ ଧର୍ମ କାମ
ହେଉଥିବ ଯଦି କେବେ ଆମ
ସବୁ ଜିନିଷକୁ ପଛେ ଖୋଜାହୁଏ
ଡକା ପଡୁଥିବ ତାର ନାମ ।।
ତାହାରି ପାଖରେ କେତେ କଣ
ରହିଅଛି ଔଷଧୀୟ ଗୁଣ
ସର୍ବଦା ତାହାର ପତ୍ରକୁ ଖାଇଲେ
ବଞ୍ଚି ରହିଥିବ ଆମ ପ୍ରାଣ ।।
ପିଲାଙ୍କୁ ହୋଇଲେ ଶ୍ଵାସ କାଶ
ତୁଳସୀ ପିପ୍ପଳୀ ମହୁ ରସ
ମିଶାଇ ଖାଇବ ପ୍ରତିଦିନ ଯଦି
ଥଣ୍ଡା ଶ୍ଵାସ କାଶ ହେବ ନାଶ ।।
ହେଉଥିଲେ ମେଲେରିଆ ଜର
ଚାମୁଚେ ରସ ତ ତୁଲସୀର
ଦି ସପ୍ତାହ ଧରି ପାନ କଲେ ନିତି
ସେହି ମେଲେରିଆ ହୁଏ ଦୂର ।।
ତୁଳସୀ ପତ୍ରକୁ ଗୁଣ୍ଡ କରି
ଶୁଖାଇ ବ୍ରଣରେ ଦେଲେ ମାରି
ମୁହଁଟି ସୁନ୍ଦର ଦିଶଇ ଭଲରେ
ବ୍ରଣସବୁ ମରେ ଭଲ କରି ।।
ବିଛା ଯଦି କେବେ କାମୁଡଇ
କଳା ତୁଳସୀର ରସ ନେଇ
କମୁଡା ସ୍ଥାନରେ ଲଗାଇଲେ ଶୀଘ୍ର
ବିନ୍ଧା ଯାଇଥାଏ ଭଲ ହୋଇ ।।
ତୁଳସୀ କାଠିର ମାଳିଟିଏ
ପକାଇଲେ ବେକେ କେବେ କିଏ
ଗଳାର ରୋଗଟି ଜୀବନେ ନ ହୁଏ
କଣ୍ଠ ରୋଗ ସବୁ ଭଲ ହୁଏ ।।
ତୁଳସୀ ମହିମା ପୁରାଣରେ
ଲେଖା ତ ହୋଇଛି ବିସ୍ତୃତରେ
ସେଥିପାଇଁ ଏହା ପ୍ରିୟ ହୋଇଅଛି
ଆମ ଓଡିଶାର ଘରେ ଘରେ ।।
∎
ଗୋପୀନାଥପୁର ସାହି,ଚାନ୍ଦପୁର,ନୟାଗଡ
ମୋ-7992573125

ଲେଖା ସମ୍ପର୍କୀୟ ମତାମତ