କବିତା
ଏଇ ମୋ ଓଡିଶା

ଏଇ ମୋ ଓଡିଶା ତା` ସାହି ପଡିଶା
ତା` ପାଣି ପବନ ମାଟି
ତୋଟାମାଳ ତା`ର କେତେ ଆପଣାର
କି ସୁନ୍ଦର ଘର ଘାଟି ॥୧॥
ତା` ଜଗତ ନାଥ କାଳିଆ ସାଆନ୍ତ
ପତିତପାବନ ନେତ
ଆମେ ଭାଇଭାଇ ଭେଦଭାବ ନାହିଁ
ନାଚି କହୁଅଛି ସେ`ତ ॥୨॥
ତା` ରାଉରକେଲା ଆସ୍କା, ହୁକିଟୋଲା
ହୀରାକୁଦ, ପାରାଦୀପ
କେତେ ବନ୍ଧବାଡ ତା` ଅଝାଡ ଝାଡ
ଜଙ୍ଗଲର ଖାଲଢିପ ॥୩॥
ତା`ର ରଜଦୋଳି କେତେ ଜାତି କୋଳି
ଆହା କି ମଧୁର ମିଠା
ତା`ର ପୋଡପିଠା ଏଣ୍ଡୁରି, ଗଇଁଠା
ଆରିଶା, କାକରା ପିଠା ॥୪॥
ତା`ଦୋଳ ମେଳଣ ଠାକୁର ଝୁଲଣ
କୁଆଁର ପୁନେଇ, ପୁଚି
ଭାରି ଭଲ ଲାଗେ ତା ଅଗଣା ଘରେ
ଖେଳିବାକୁ ଲୁଚାଲୁଚି ॥୫॥
ସବୁତ ସୁନ୍ଦର ଲଗାଏ ହୁନ୍ଦର
ତା` ପବିତ୍ର ଭୁଇଁ ଛୁଇଁ
ତା` ମାନ ମହତ ରଖିବାକୁ ଶତ
ଶପଥ କରୁଛି ମୁହିଁ ॥୬॥
∎
ରାଜା ବଗିଚା, କଟକ-୯
ମୋ-୭୯୭୮୩୧୯୨୭୯

ଲେଖା ସମ୍ପର୍କୀୟ ମତାମତ
ବିଜୟ କୁମାର ଛାଟୋଇ
07-07-2025 / 18:11:04
ବଢିଆ
ମୋହନ କୁମାର ସ୍ୱାଇଁ
04-07-2025 / 19:50:33
ଅତି ସୁନ୍ଦର ଲାଗିଲା କବିତା ଟି
ଦୀନବନ୍ଧୁ ପୋଇ
01-07-2025 / 20:50:14
ଭଲ ଲାଗିଲା ସାର, ସବୁ ତାର ମିଠା, ଯେତେ ସବୁ ପିଠା ବଢିଆ ଲାଗେ ମୋତେ ଆରିସା , ଗଇଁଠା , ପ୍ରଣାମ ସାର
ନିରଞ୍ଜନ ପତି
01-07-2025 / 11:11:24
ସୁନ୍ଦର ଭାବ ବ୍ୟଞ୍ଜକ କବିତା ବଡ଼ ଭାଇ । ନମସ୍ତେ । ଅଭିନନ୍ଦନ ।ମଧ୍ୟାନ୍ତ ଓ ଛନ୍ଦ ମିଳନ ବହୁତ ବଢ଼ିଆ।
ଜୟକୃଷ୍ଣ ସାହୁ
01-07-2025 / 10:45:33
ସାର୍ ନମସ୍କାର। ମାଟି ମାଆ ପାଇଁଁ କଵିତା ମାଧ୍ୟମରେ ଆପଣ ସୁନ୍ଦର ଭାଵ ଉପସ୍ଥାପନା କରିଛନ୍ତି। ଭଲଲାଗିଲା। ଧନ୍ୟବାଦ।