Skip to content
ଶିଶୁ କିଶୋର

କବିତା

ଭଲ ମଣିଷ ମୁଁ ହେବି

ଭଲ ମଣିଷ ମୁଁ ହେବି

ଅଜ୍ଞାନ ଶିଶୁ ମୁଁ ଛାର
ଆଜିର ଦିନଟି ଶୁଭେ କଟିଯାଉ
ଘେନ ମୋର ନମସ୍କାର।
ତୁମେ ଖଞ୍ଜିଅଛ ସୂର୍ଯ୍ୟ,ଚନ୍ଦ୍ର, ତାରା
ସାଗରେ ଅମାପ ବାରି
ଖଟାମିଠା ଫଳ, ନାନା ଜାତି ଫୁଲ
ତରୁରେ ରଖିଛ ଭରି।
ଜୀବ ଜଗତକୁ ବଞ୍ଚାଇ ରଖିଛ
ଖାଦ୍ୟ, ଜଳ, ବାୟୁ ଦେଇ
ଖାଦ୍ୟ ଓ ଖାଦକ ସାଇତିଛ ପ୍ରଭୁ
ଚଳାଚଳ ବିଶ୍ଵ ପାଇଁ।
ହାତ,ଗୋଡ଼,ଆଖି ଦେଇଛ ଠାକୁର
ପର ସେବା କରିବାକୁ
ସତ୍ୟ, ଧର୍ମ ଆଉ ଅହିଂସା ପଥରେ
ଶିଖାଇଛ ଚାଲିବାକୁ।
ତୁମରି ଇଚ୍ଛାରେ ସବୁତ ଚାଲିଛି
ହସୁଛି ସାରା ସଂସାର
ତୁମେ ନଚାହିଁଲେ ଆହେ ମହାବାହୁ
ସବୁତ ହେବ ଅନ୍ଧାର।
ତୁମରି ସୃଷ୍ଟିରେ ମଣିଷ କରୁଛି
ଭଲ, ମନ୍ଦ କାମ ଯେତେ
ଭଲ ବାଟେ ମତେ ନେଉଥାଅ ପ୍ରଭ
ଧରି ତୁମ ପୁଣ୍ୟ ହାତେ।
ଆଖି ଦେଖୁ ସଦା ଭଲ ଭଲ କଥା
ତୁଣ୍ଡକହୁ ମିଠା ଭାଷା
ଭଲ କଥା ଶୁଣି ସଭିଙ୍କୁ ପ୍ରଭୁ ମୁଁ
ଦେଖାଇବି ଭଲ ଦିଶା।
ପିତାମାତା,ଗୁରୁ ଗୁରୁଜନ ପ୍ରତି
ଭକ୍ତି ମୋର ସଦା ଥାଉ
ଲଘୁଜନ, ପଶୁପକ୍ଷୀଙ୍କ ପାଇଁଟି
ସ୍ନେହ ଓ କରୁଣା ରହୁ।
ତୁମରି ନାମକୁ ଡାକୁଥିବି ପ୍ରଭୁ
ତୁମେ ସୁଖ ଦୁଃଖ ବନ୍ଧୁ
ବୋଉ କହୁଥିଲା ତୁମେ ଜଗତରେ
ଏକା କରୁଣାର ସିନ୍ଧୁ।
ଶପଥ କରୁଛି ଆଜି ମୁଁ ଠାକୁର
ଭଲ ମଣିଷଟି ହେବି
ସୁଗୁଣ ବିତରୀ ସମାଜ ଭିତରେ
ଦୀପ ହୋଇ ଜଳୁ ଥିବି।।
∎
ଅଞ୍ଜିରା, ଓହ୍ଲଣା,ପୁରୀ,
ପିନ୍,୭୫୨୦୧୯, ମୋ - ୯୯୩୭୧୯୮୮୭୮.

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-10-2026 / 22:08:37

କବିତାଟି ମନଛୁଆଁ ହୋଇଛି। ଚଳାଚଳ ଜାଗାରେ ଚରାଚର ହେଇଥିଲେ ଭଲ ହେଇଥାଆନ୍ତା।