Skip to content
ଶିଶୁ କିଶୋର

କବିତା

ସଭିଏଁ ଦେଉଛ ଗାଳି

ସଭିଏଁ ଦେଉଛ ଗାଳି

ସୋଫା ପରେ ଟିକେ ଗଲେ ତ ଚଢ଼ି
ଚଟାଣରେ ଟିକେ ପଡ଼ିଲେ ଗଡ଼ି
ମୋବାଇଲ ଦେଲେ ଧରି
ମତେ, ସଭିଏଁ ଦେଉଛ ଗାଳି।

ଟି.ଭି ରିମୋଟ ଟା ହାତରେ ନେଲେ
କାର୍ଟୁନ୍ ଚ୍ୟାନେଲ ଟିକେ ଦେଖିଲେ
ଜାମାରେ ଲାଗିଲେ ମଳି,
ମତେ, ସଭିଏଁ ଦେଉଛ ଗାଳି।

ଫ୍ରିଜ୍ ରୁ ଆଣି ପିଇଲେ ପାଣି
ଛୁଇଁ ଦେଲେ ମାଆ ପଇସା ମୁଣି
ଲାଗିଗଲେ ଦେହେ ଧୂଳି,
ମତେ, ସଭିଏଁ ଦେଉଛ ଗାଳି।

ଛୁଟି ଦିନେ ଟିକେ କରିଲେ ମଜା
ଲୁଚେଇ ଖାଇଲେ ମୁଡୁକୁ ଖଜା
ପଡିଆକୁ ଗଲେ ଖେଳି
ମତେ, ସଭିଏଁ ଦେଉଛ ଗାଳି।

ବରଷାରେ ଯଦି ଯାଏ ତ ଭିଜି
କଙ୍କି ଧରିବାରେ ଗଲେ ତ ମଜ୍ଜି
ବହିରେ ଲାଗିଲେ କାଳି
ମତେ, ସଭିଏଁ ଦେଉଛ ଗାଳି।

ସକାଳୁଆ କେବେ ପଡ଼ିଲେ ଶୋଇ
କେବେ ଦିନେ ଦେଲେ କୁରକୁରେ ଖାଇ
ଫୁଲଟିଏ ଦେଲେ ତୋଳି
ମତେ, ସଭିଏଁ ଦେଉଛ ଗାଳି।

ପିଲାବେଳ ମୋର ଛଡେଇ ନେଲ
ଶିଶୁ ମନେ ମୋର ଆଘାତ ଦେଲ
ସେ କଥା ପାରୁନ ଭାଳି
ମତେ, ସଭିଏଁ ଦେଉଛ ଗାଳି।

ଶୁଣ ଶୁଣ ମୋର ବୟସ୍କ ମାନେ
ପିଲାବେଳ କଥା ପଡୁନି ମନେ?
ତମେ, ନଥିଲ କି ମୋ ଭଳି
ବଡହେଲ ବୋଲି ପଛକଥା ଭୁଲି
ଏଇନେ ଦେଉଛ ଗାଳି
ମତେ, ସଭିଏଁ ଦେଉଛ ଗାଳି।

∎

ବରଗଡ଼।

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

01-10-2026 / 22:02:32

ପିଲାଙ୍କ ପାଇଁ ସୁନ୍ଦର କବିତା।

ଉମାକାନ୍ତ ବେହେରା

01-10-2026 / 16:53:26

ଚମତ୍କାର ଲେଖାଟିଏ l କବିଙ୍କୁ ବଧେଇ