ଗପ
ଗୁଡ଼ୁଲ- ଗୁଡଲିଙ୍କ ରହସ୍ୟମୟ ଯାତ୍ରାର ଭାଗ-୪

ଗୁଡୁଲ୍, ଗୁଡ଼ଲି ଚିନ୍ତାରେ ପଡ଼ି ଯାଇଥାନ୍ତି । ଶୁଆକୁ ଯିବାର ଅନେକ ସମୟ ହେଇଗଲାଣି, ଏବେ ଯାଏଁତ ଫେରି ଆସିବା କଥା। ଏଲିନ୍ ଭଳି ଶୁଆ ମଧ୍ୟ କୌଣସି ଅସୁବିଧାରେ ପଡିଯାଇ ନାଇଁତ...? ବାରମ୍ବାର ଏ ପ୍ରଶ୍ନଟି ତାଙ୍କ ମନରେ ଉଙ୍କିମାରେ। ଆଉ ସମୟ ନଷ୍ଟ ନକରି ଦିହେଁ କୋଠି ଆଡ଼କୁ ଯିବାର ନିଷ୍ପତ୍ତି ନେଲେ। ରାତି ଗାଢ଼ ନିଦ୍ରାରେ ଥାଏ। ଶୁନ୍ ଶାନ୍ ପ୍ରହର.....। ଆଉ ସେ ଶୁନଶାନ୍ ପ୍ରହରର ପ୍ରହରୀ , ମାନେ ଗାଆଁ ଚୌକିଦାର " ଜାଗି ରୁହ...ଜାଗି ରୁହ" କହି ପାଟିକରି ତାଙ୍କ ଲାଠିକୁ ଚଟ୍ଟାଣରେ ପିଟି , ଠକଠକ୍ ଶବ୍ଦକରି ଗାଆଁ ରାସ୍ତାରେ ଏପଟ ସେପଟ ହୋଇ ଚୌକିଦାରୀ କରୁଥାନ୍ତି। ଗୁଡୁଲ୍ , ଗୁଡ଼ଲି ବାଡ଼ି ପଛପଟର ରାସ୍ତା ଦେଇ ଓ ଗାଆଁ ଚୌକିଦାରଙ୍କଠୁ ଲୁଚି ପ୍ରାୟ ଅଧଘଣ୍ଟା ପରେ ଯାଇ ପହଞ୍ଚିଲେ ଅଜୁବା କୋଠି ଆଗରେ। କୋଠିଟି ଦେଖିବାକୁ ପୁରୁଣା ଓ ଆକୃତିରେ ସିନେମାରେ ଦେଖିଥିବା ଯାଦୁଗର ମାନଙ୍କ କୋଠିଭଳି। କୋଠିର ଚାରିପଟେ ବିରାଟ ପାଚେରୀଟାଏ। ଚାରିଆଡ଼ ଖୁବ୍ ଅନ୍ଧାରୁଆ ଓ ନିଛାଟିଆ। କିନ୍ତୁ କୋଠି ଭିତରେ ବୋଧେ ବତୀଜଳୁଛି କାରଣ କୋଠି ଭିତରର ଆଲୁଅ ସେଠାକାର ଝରକାର କାଚଦେଇ ବାହାରକୁ ପ୍ରତିଫଳିତ ହେଉଛି । ଗୁଡ଼ଲି ପ୍ରଶ୍ନ କଲା - "ଆରେ ଗୁଡୁଲ୍, ଆଈତ କହୁଥିଲା ଏଇଠି କୋଉ ଯୁଗରୁ କେହି ରହିନାହାନ୍ତି କି କେହି ଯିବାଆସିବା କରନ୍ତି ନାହିଁ ବୋଲି। ତା`ହେଲେ କୋଠି ଭିତରେ କିଏ ବତୀ ଲଗାଇଲା...?" ଗୁଡୁଲ୍ ଓଠ ଉପରେ ଆଙ୍ଗୁଠି ରଖି, ସି... ସିସ୍...କରି ଚୁପ୍ ରହିବା ପାଇଁ କହିଲା। ତାପରେ ଦୁହେଁ ପାଚେରୀର ମୁଖ୍ୟଦ୍ଵାର ପାଖରେ ପହଞ୍ଚିଲେ। ଲୁହାର ଗୋଟାଏ ବଡ ଗେଟ୍ , କେବଳ ଆଉଜା ହେଇଥାଏ ତାଲା ଲାଗିନଥାଏ। ଗୁଡୁଲ୍ କଵାଟକୁ ଠେଲି ଖୋଲିବା ପାଇଁ ଚେଷ୍ଟା କଲା କିନ୍ତୁ କଵାଟଟି ଟସରୁମସ୍ ହେଲାନି। ବାରମ୍ବାର ଦୁହେଁ ଵଳ ପ୍ରୟୋଗ କଲେ ତଥାପି କବାଟଟି ନିଜ ସ୍ଥାନରୁ ଟିକିଏବି ହଲିଲା ନାହିଁ। ଦୁହେଁ ମନେ ମନେ ଚିନ୍ତା କଲେ କବାଟ ତ ଖୋଲୁନି ଆଉ କବାଟ ତଳେ କି କବାଟରେ କିଛି ଫାଙ୍କା ସ୍ଥାନବି ନାହିଁ ଯେ ଏଲିନ୍ ଭିତରକୁ ପ୍ରବେଶ କରି ପାରିଥିବ। କିନ୍ତୁ କିଛିତ ଅଛି ଯୋଉ ରାସ୍ତା ଦେଇ ଏଲିନ୍ ଭିତରକୁ ଯାଇଛି। ଆଉ ଅଯଥା ସମୟ ନଷ୍ଟ ନକରି ସେ ଦିହେଁ ପାଚେରୀର
ଚାରିଆଡର ତର୍ଜମା କରିବା ଆରମ୍ଭକଲେ। କୋଠିର ପଛପଟ ପାଚେରୀ ଆଡ଼କୁ ଖୁବ୍ ଅନ୍ଧାର ଛାଇରହିଛି ,ଯାହା
ଅଳ୍ପକିଛି ଦ୍ଵିତୀୟା ଚାନ୍ଦର ଆଲୋକରେ ଦେଖାଯାଉଛି।
ସେଇଠି ପାଚେରୀଟି ଅଳ୍ପ ମାତ୍ରାରେ ଭିତର ପଟକୁ ଧସି ହୋଇ ପଡ଼ିଛି ଓ କିଛି ଇଟା ଖସିପଡ଼ିଛି । ଗୁଡ଼ିଲ୍ କହିଲା - "ଏଲିନ୍ ନିଶ୍ଚୟ ଏଇ ରାସ୍ତା ଦେଇ ଭିତରକୁ ପ୍ରବେଶ କରିଥିବ"। ଗୁଡୁଲ୍ ତା`କଥାରେ ହଁ, ଭରି କହିଲା - " ସତର୍କତା ଅବଲମ୍ବନ କରି ଏହି ବାଟଦେଇ ପ୍ରବେଶ କରିବାକୁ ହେବ ,ଅନ୍ଧାରୁଆ ଜାଗା ତା`ଉପରେ ଏପୁରୁଣା ଓ ନିର୍ଜନ କୋଠି , ହୁଏତ ବିଷାକ୍ତ ସରୀସୃପ ଥାଇପାରନ୍ତି। " ପାଚେରୀ ଭିତରକୁ ପ୍ରବେଶ କରିସାରି ଦୁହେଁ ସତର୍କତାର ସହ ଧୀରେଧୀରେ ପାଦପକାଇ ଆଗକୁ ବଢାଉଥାନ୍ତି। ନିଶୁନ୍ ରାତିରେ କିଛିଟା ରାତ୍ରିଚର ଜୀବଙ୍କ ଶ୍ୱାସପ୍ରଶ୍ୱାଶର ଶଦ୍ଦ ସେ ନିର୍ଜନ ସ୍ଥାନକୁ ଆହୁରି ଭୟାକୁଳ କରିଦିଏ। ଆଠଦଶ ପାଦ ଗଲାପରେ ତାଙ୍କୁ ପ୍ରତୀତ ହେଲା ଯେମିତି କୋଠି ପାଖରେ ଆଉ କିଛି ଗୋଟାଏ ବିରାଟ ଆକାରର ଅଛି ଯୋଉଠୁ ନିଃଶ୍ୱାସ ପ୍ରସ୍ୱାଶର ଶଦ୍ଦ ତୀବ୍ରଗତିରେ ଆସି ସେମାନଙ୍କ କର୍ଣ୍ଣଗହ୍ଵର ଦେଇ ମସ୍ତିସ୍କ ଓ ହୃଦୟକୁ ହଲାଇ ଦେଉଥାଏ। ଦୁଂହେ ହାତକୁ ହାତ ଛନ୍ଦି ନିର୍ଭୀକ ହୋଇ ଉପରକୁ ଅନାଇଲେ। ଓହ୍...!!!, ବିଶାଳ ବଟବୃକ୍ଷଟାଏ ଯାହାର ଛାଇରେ ଅନ୍ଧାରୁଆ ସ୍ଥାନଟି ଆହୁରି ବହଳେ ଅନ୍ଧାର ଘୋଡେ଼ଇ ହୋଇ ରହିଛି। ଗଛର ଅସଲ ମୂଳକୁ ଠଉରାଇବା ଅସମ୍ଭବ କାରଣ ମୋଟା ଆକାରର ଓହଳ ଗୁଡ଼ିକ ଓହଳି ମୃତ୍ତିକା ଭିତରକୁ ପ୍ରବେଶ କରି ସେମାନେ ମଧ୍ୟ ମୂଳର କାର୍ଯ୍ୟ ନିର୍ବାହ କରୁଛନ୍ତି ଭଳି ପ୍ରତୀତ ହେଉଥାଏ ଏବଂ କୋଉଟା ମୂଳ ଆଉ କଉଟା ଓହଳ ଜଣା ପଡୁନଥାଏ। ସେମାନେ ବଟବୃକ୍ଷକୁ ଅତିକ୍ରମ କରି ଆଗକୁ ବଢିଲା ବେଳକୁ ହଠାତ୍ ଗୋଡ଼ରେ କିଛି ଛନ୍ଦି ହୋଇ ଗୁଡେ଼ଇ ହେବାର ଅନୁଭବ କଲେ, ଟିକେ ସମୟ ଭିତରେ ସେମାନେ ସମଗ୍ର ଶରୀର ଉପରେ ଏହା ଗୁଡେ଼ଇ ହେବାର ଜାଣି , ଭୟଭୀତ ହୋଇ ସେଗୁଡିକୁ କାଢ଼ିବାକୁ ଚେଷ୍ଟା କଲେ ଆଉ ସେତେବେଳକୁ ଦିଟା କଖାରୁ ଆକାରର ଧଳାକଳା ମିଶ୍ରିତ ରଙ୍ଗର ମକଡା ଦେଖିବାକୁ ପାଇଲେ,ଯାହାଙ୍କ ଗୋଡ ଗୁଡ଼ିକ ହାତେ ଲମ୍ବର ଥିଲେ ଆଉ ପାତଳଘଣ୍ଟା ଭଳି ନାଲି ଡୁଗୁଡୁଗୁ ଆଖି ଯୋଉମାନେ କି ସେମାନଙ୍କ ଜାଲରେ ଗୁଡୁଲ୍ ଆଉ ଗୁଡୁଲିକୁ ଗୁଡେ଼ଇ ଚାଲିଥିଲେ। ଆଉ ଗୁଡୁଲ, ଗୁଡଲି ବଳ ପ୍ରୟୋଗ କରି ମୁକୁଳିବାକୁ ଚେଷ୍ଟାକଲା ସତ୍ତ୍ଵେ ବି ନିଷ୍ଫଳ ହେଉଥିଲେ। ସେମାନେ ସାହାର୍ଯ୍ୟ ଆଶାରେ ପାଟିକଲେ। ଏତିକି ବେଳେକୁ ପବନ ବେଗରେ କୌଣସି ଜୀବ ଉଡ଼ିଆସି ମକଡା ଦିଟିକୁ ଜାଲରୁ ପୃଥକ୍ କଲା ଆଉ ତାକୁ ଦେଖି ମକଡାଦ୍ବୟ ଉଭାନ ହୋଇଗଲେ। ଗୁଡୁଲ୍ ଆଉ ଗୁଡ଼ଲି ଜାଲଗୁଡ଼ିକୁ ଦେହରୁ କାଢ଼ିନେଲେ ତାପରେ ତାଙ୍କୁ ରକ୍ଷା କରିଥିବା ସେ ଜୀବଆଡ଼କୁ ଦୃଷ୍ଟି ପକାଇଲେ।
କ୍ରମଶଃ.....
∎

ଲେଖା ସମ୍ପର୍କୀୟ ମତାମତ