Skip to content
ଶିଶୁ କିଶୋର

କବିତା

ଆସିଗଲା ଶରତ

ଆସିଗଲା ଶରତ

ଆସିଗଲା ଶରତ
ଶୋଭାର ପସରା ମେଲି
ହସିଉଠେ ମରତ।

ଧଳା ମେଘ ଭାସି ବୁଲେ ଆକାଶର ଛାତିରେ
ତୋଫା ଜହ୍ନ ଆଲୁଅ ତ ଝରିପଡ଼େ ରାତିରେ
ନଈ, ନାଳ, ଗଡ଼ିଆ,
କାଚକେନ୍ଦୁ ପରି ପାଣି ଦିଶେ ଭାରି ବଢ଼ିଆ!

ଶାଗୁଆ ଫସଲ କ୍ଷେତ ପବନର ଦୋଳିରେ
ଝୁଲି ଝୁଲି ଚାଷୀ ମନେ ଆଶା ଦିଏ ବୋଳିରେ
ମେହେନତ ତାହାର,
ସାରା ବରଷଟା ତାକୁ ଯୋଗାଇବ ଆହାର।

ନଈକୂଳେ କାଶତଣ୍ଡୀ ହଲାଉଛି ଚଅଁର
ଗଙ୍ଗଶିଉଳିର କାନେ ଗୀତ ଗାଏ ଭଅଁର
ଜହ୍ନିଫୁଲ ଫୁଟିଲା,
ଗାଆଁଦାଣ୍ଡେ ପିଲାଙ୍କର ଖୁସି ଗୀତ ଛୁଟିଲା।

ପୂଜା ମଉଛବ ନେଇ ଦଶହରା ଆସିବ
ଘରେ ଘରେ ପିଠାପଣା ସୁଅ କେତେ ଭାସିବ
ଗାଆଁଠାରୁ ସହର,
ଚାରିଆଡ଼େ ଖେଳିଯିବ ଆନନ୍ଦର ଲହର।
∎
ଫୋ:୯୮୬୮୮୦୫୯୯୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

02-10-2026 / 20:33:10

ଶରତ ର ବର୍ଣ୍ଣନା ମନଛୁଆଁ ହେଇଛି।

ଜୟକୃଷ୍ଣ ସାହୁ

01-10-2026 / 18:09:34

ସୁନ୍ଦର ଶରତ ଋତୁର ଵର୍ଣ୍ଣନା। କଵିଙ୍କୁ ଅନେକ ଅନେକ ଧନ୍ୟବାଦ।