Skip to content
ଶିଶୁ କିଶୋର

କବିତା

ଶରତ ମରତେ ଆସିଛି

ଶରତ  ମରତେ ଆସିଛି

ଶରତ ମରତେ ଆସିଛି, ଶୋଭାରେ ପସରା ମେଲିଛି
ଧଳା ମେଘ ଖଣ୍ଡ , ନୀଳ ଆକାଶରେ
ନାନା ରୂପ ଧରି ଭାସୁଛି
ଥିରି ପବନରେ ମଥା ଦୋହଲାଇ
କାଶତଣ୍ଡି ଫୁଲ ହସୁଛି ,
ଶରତ ମରତେ ଆସିଛି (୧)
ଆକାଶ ଦିଶେ ନିରିମଳ, ସବୁଜ ଗାଁ ରୁ ସହର
ଗାଁ ପୋଖରୀର ନିରିମଳ ଜଳେ
କେତେ କଇଁ ଫୁଲ ଫୁଟିଛି
ଗଙ୍ଗ ଶିଉଳିର ଭୁରୁ ଭୁରୁ ଗନ୍ଧ
ପବନ ତ ବାଣ୍ଟି ଦେଉଛି
ଶରତ ମରତେ ଆସିଛି। ୨।
ଆଣି ଅଛି ପୂଜା ପାର୍ବଣ , ଗଜାନନ ଙ୍କର ପୂଜନ
ନୂଆ ଜାମା ପିନ୍ଧି, ପୁଷ୍ପାଞ୍ଜଳି ଦେଇ
ମାଗିଲେ ପିଲେ ବିଦ୍ୟା ଜ୍ଞାନ
ବିଶ୍ଵକର୍ମା ପୂଜା କେତେ ବାଣ ବାଜା
ସହର ବଜାର କମ୍ପୁଛି
ଶରତ ମରତେ ଆସିଛି (୩)
ପରବ ର ଦିନ ଆସିଛି ନୂଆ ଖାଇ ଭେଟ ଜମିଛି
ମାଆ ସମଲେଇ, ପୀଠରେ ନବାନ୍ନ
ମହ ମହ ହୋଇ ବାସୁଛି,
ବଡଙ୍କୁ ଜୁହାର, ସାନଙ୍କୁ ସେନେହ
କେତେ ବଣ୍ଟା କୁଣ୍ଟା ଚାଲିଛି
ଶରତ ମରତେ ଆସିଛି (୪)
ଆସିବେ ଜଗତ ଜନନୀ, ଜଗତ କଲ୍ୟାଣ କାରିଣୀ
ସୁନ୍ଦର ତୋରଣ, ଆଲୋକର ମାଳା
ନାନା ଜାତି ବାଜା ରୋଷଣୀ
ସିଂହ ବାହିନୀଙ୍କ ଷୋଳ ପୂଜା ପାଇଁ
ପୂଜା ମେଢ ସଜ୍ଜା ଚାଲିଛି
ଶରତ ମରତେ ଆସିଛି ( ୫)
ଆଗକୁ କୁଆଁର ପୁନେଇଁ , ନୂଆ ଜାମା କିଣା ହେଲାଣି
ଟୁନି, କୁନି,ମୁନି, ମାମୁନି ଙ୍କ ମନ
ଜମା ଆଉ ପାଠେ ଲାଗୁନି
ପୂଜା ଛୁଟି ଆଉ କେତେ ଦିନ ଅଛି
ପିଲା ଙ୍କ ର ଗଣା ଚାଲିଛି
ଶରତ ମରତେ ଆସିଛି (୬)

∎

ନୟାଗଡ଼
ଫୋନ_୯୪୩୭୪୮୪୭୮୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ

ଲେଖା ସମ୍ପର୍କୀୟ ମତାମତ

Haripriya Pattnaik

03-10-2026 / 15:00:04

ବହୁତ ସୁନ୍ଦର ଲାଗିଲା କବିତାଟି।