କବିତା
ମାଆ ଆସେ

ଶ୍ବେତ କାଶତଣ୍ଡି ପବନେ ଦୋହଲି
ଖିଲିଖିଲି ହୋଇ ହସେ
ନୀରବେ ସତେକି ବାରତା ଜଣାଇ
କହେ, ଦେଖ ମାଆ ଆସେ
ଏଇ ଶରତ ଆଶ୍ବିନ ମାସେ,
ମନ୍ଦାର ମାଳିନୀ ବସ୍ତ୍ର ବିଭୂଷଣୀ
ହୋଇ କି ସୁନ୍ଦର ଦିଶେ।
ଆକାଶ ଆଂକିଛି ମେଘର ଚାନ୍ଦୁଆ
ସତେ କି ଚାମର ଢାଳେ
ନିରିମଳ ଶୋଭା ଚତୁର୍ଦ୍ଦିଗ ଘେରି
ମନରେ ଆନନ୍ଦ ବୋଳେ
ପଦ୍ମ ପୋଖରୀରେ ଦୋଳି ଖେଳେ,
ଦୁର୍ଗତି ନାଶିନୀ ମାଆର ବନ୍ଦନା
କରିବା ସାଥୀଂକ ମେଳେ।
ଶଂଖ, ଘଣ୍ଟା, ଢୋଲ, ମହୁରୀ, ମର୍ଦ୍ଦଳ,
ସାହାନାଇ ଉଠେ ବାଜି
ପୁର, ପଲ୍ଲି, ଗ୍ରାମ, ସହର, ନଗର
ସର୍ବତ୍ର ପାର୍ବଣେ ସାଜି
ଏଇ ଋତୁ ରସାଣିତ ଆଜି,
ପ୍ରକ୍ରୁତି ସମ୍ଭାର ସଜାଡି ଆଣିଛି
ମାଆ ଲାଗି ଖୋଜି ଖୋଜି।
ଭୁବନେଶ୍ୱର-୨
ମୋ-୯୪୩୭୦୧୪୩୨୨

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
02-10-2026 / 20:40:23
ଭଲହେଇଛି କବିତାଟି।