କବିତା
ଖାଉଛୁ ଯେତେ ତୁ ଖାଆ

ଆଷାଢ଼ମାସର ସକାଳୁ ସକାଳୁ
ଗାଆଁମୁଣ୍ଡ ଆଡ଼େ ଗଲି
ଜାମୁକୋଳିଗଛେ ଭରି ଅଛି କୋଳି
ଲୋଭରେ ଅନାଇ ଦେଲି।
ଗଛରେ ବସିଛି ଆମ ସନାଭାଇ
ଡାଳକୁ ହଲାଇ ଦିଏ
ଟପ୍ ଟାପ୍ ହୋଇ ଝଡ଼ିପଡ଼େ କୋଳି
ସରାଗେ ଗୋଟାଇ ନିଏ।
ଘରକୁ ଆଣି ମୁଁ ପାଣିରେ ଧୋଇଲି
ଗୋଟିଗୋଟି ଜାମୁକୋଳି
ଖାଇଲି ମଉଜେ ଟାକରା ଫୁଟାଇ
ତା` ସାଥିରେ ଲୁଣ ବୋଳି।
ଖାଇ ଜାମୁକୋଳି ମୁଣ୍ଡେ ହାତ ବୋଳି
କହିଲା ମୋ` ଜେଜୀମାଆ
କାଲି ଆଉ କିଛି ମୋ`ପାଇଁ ଆଣିବୁ
ଖାଉଛୁ ଯେତେ ତୁ ଖାଆ।
∎

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
02-10-2026 / 20:42:57
ପିଲାଙ୍କ ମନଲାଖି କବିତାଟିଏ।
କୀର୍ତ୍ତନ ସାହୁ
01-10-2026 / 15:44:29
ପିଲାଙ୍କ ପାଇଁ ମଜା କବିତା ।