କବିତା
ବନ ମହୋତ୍ସବ

ଉତ୍ସବ ମୁଖର ଦିଲ୍ଲୀ ଠାରୁ ପଲ୍ଲୀ
ବନ ମହୋତ୍ସବ ନେଇ,
ପାଦପ ରୋପଣ କାର୍ଯ୍ୟଟି ମହାନ
ପରିବେଶ ରକ୍ଷା ପାଇଁ.
ଜୁଲାଇ ମାସର ପ୍ରଥମ ସପ୍ତାହ
ସଠିକ ସମୟ ଯହିଁ,
ସରକାରୀ ସ୍ତରେ କେତେ କାର୍ଯ୍ୟକ୍ରମ
ଜନସଚେତନ ନେଇ.
ସବୁଜ ସୁବର୍ଣ୍ଣ ବୃକ୍ଷଲତା ଆମ
ଯାହାର ବିକଳ୍ପ ନାହିଁ,
ଜୀବଜଗତର ନିରାମୟ ପାଇଁ
ବିପଦରେ ଥାଏ ରହି.
ସମଗ୍ର ସଂସାର ତ୍ରାଣକର୍ତ୍ତା ବୃକ୍ଷ
ସାକ୍ଷାତ ଦେବତା ସେହି,
ସ୍ୱୟଂ ଜଗନ୍ନାଥ ଦାରୁରୁ ସମ୍ଭୁତ
ବିଶ୍ୱ ବ୍ରହ୍ମାଣ୍ଡ ଗୋସାଇଁ.
ଖାଇବାକୁ ଦିଏ ନାନା ଜାତି ଫଳ
ଜାଳେଣି କାଠ ଯୋଗାଇ,
ପିନ୍ଧିବାକୁ ଦିଏ ପୋଷାକ ପତର
ଆବାସ ରହିବା ପାଇଁ.
ବୃକ୍ଷ ହିଁ ଜୀବନ ଦିଏ ଅମ୍ଳଜାନ
ଜୀବନ ଧାରଣ ପାଇଁ,
ଶ୍ରମକ୍ଲାନ୍ତ ପାଇ ଆଶ୍ରୟ ନିଅଇ
ତା` ମୂଳେ ବାଟୋଇ ଭାଇ.
ବିଷମୟ ଆଜି ବିଶ୍ୱ ପରିବେଶ
ପାଲଟି ଯାତନା ଜୁଇ,
ନିତି ନିଏ କେତେ ଅମୂଲ୍ୟ ଜୀବନ
କାହାକୁ କହିବା ଭାଇ.
ଯେତେ ସବୁ କାଣ୍ଡ ଘଟିଥାଏ ଆଜି
ମଣିଷ ଜାତିଟା ଦାୟୀ,
କାହାକୁ କହିବା କିଏ ବା ଶୁଣିବ
ଭାଷା ପାଖେ ଆଜି ନାହିଁ.
ଯେତେ କାମ ଥାଉ କରି ତୁଚ୍ଛ ପଛ
ଲଗାଇବା ଚାରା ଭାଇ,
ସୁଜଳା ସୁଫଳା ଶ୍ୟାମଳା ହୋଇବ
ଅଖଣ୍ଡ ଭାରତ ଭୂଇଁ.
∎
ଶିକ୍ଷକ, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା.

ଲେଖା ସମ୍ପର୍କୀୟ ମତାମତ