କବିତା
ରଜ ପରବ

ଆଗକୁ ଆସୁଛି ରଜ ପରବଟି
ରହିଛନ୍ତି ସବୁ ଚାହିଁ
ଅଳତା ମାଖିବେ ମିନୁ ଝୁନୁ,ରୁନୁ
କରିବେନି ସିଏ ନାଇଁ ।
"ବନସ୍ତେ ଡାକିଲା ଗଜ" ଗୀତ ଗାଇ
ଦୋଳିକୁ ଦେବେରେ ବାହି
ସାଇ ବୁଲିବାକୁ ଯିଏ` ଯିବ ଆସ
ରଜ ପାନ ଦେଉ ଖାଇ।
ତୁମ ଘରେ ପିଠା ଆମ ଘରେ ପିଠା
ହୋଇବରେ ପୋଡ଼ ପିଠା
ଆଗ ସାରିଦେବା ମଣ୍ଡା, ଆରିସାକୁ
ପଛରେ ଖାଇବା ମିଠା।
ତିନିଦିନର ତ ପରଵଟି ରଜ
କିଏ ନ ଜାଣିଛ କୁହ
ସମସ୍ତେ ହସିବା ତା ମଜାଟି ନେବା
ଆଖିରୁ ନ ଝରୁ ଲୁହ।
ପ୍ରଥମ ଦିନକୁ ସମସ୍ତେ କହନ୍ତି
ଇଏରେ `ପହିଲି ରଜ`
ମଝି ଦିନଟି ତ `ରଜ ସଂକ୍ରାନ୍ତି`ରେ
ହସି ହସି କହେ ଵ୍ରଜ।
ଶେଷ ରଜଟି ତ `ଭୂ ଦହନ` ପରା
ଶୁଣି ଦିଅ ଟିକେ ହସି
ତାସ୍,ଲୁଡୁ,ପଶା କେତେ ଖେଳ ହେବ
ଦେଖିବା ପାଖରେ ବସି।
ମାଟିର ପରଵ,ଗଣ ପରବ ଏ
କହନ୍ତି ବୁଝେଇ` ଆଈ
ଜାକଜମକରେ ରଜ ମନେଇବେ
ସହରରେ ପିଲେ ଥାଇ।
∎
୨୭,ମନ୍ତ୍ର ମାନୋର,ଗୋଠପାଟଣା
ଭୁବନେଶ୍ୱର-୨୯,ମୋ:୯୫୮୩୨୦୨୩୫୭`

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-06-2025 / 16:43:30
ରଜ ଗୀତଟି ଭାରି ଭଲଲାଗିଲା। ଧନ୍ୟବାଦ।
କୀର୍ତ୍ତନ ସାହୁ
31-05-2025 / 12:13:28
ଖୁବ୍ ସୁନ୍ଦର ହେଇଛି।
ଡ. ବିଜୟା ପାତ
31-05-2025 / 10:56:51
ବହୁତ ବଢିଆ ଲାଗିଲା।