କବିତା
ଚଷାଭାଇ

ଚଷାଭାଇଟି ଚଳ ଚଞ୍ଚଳ
ସକାଳୁ ସଞ୍ଜ ଯାଏ
ତା ପାଇଁ ଆମ ମୁହଁରେ ହସ
ଆନନ୍ଦେ ଝରୁଥାଏ ।
ସକାଳୁ ଉଠି କ୍ଷେତକୁ ଯାଏ
ହଳ ଲଙ୍ଗଳ ଧରି,
ଦେଶ ହିତରେ କାମ କରେ ସେ
ବୀର ସଇନ ପରି ।
ନିଜେ ନଖାଇ ଯୋଗାଇ ଦିଏ
ଆହାର ପ୍ରତିକ୍ଷଣ,
ପରଦୁଃଖରେ ଦୁଃଖୀଟେ ପରା
ହୋଇ ଦରଦୀ ପ୍ରାଣ ।
ବରଷଯାକ ଖଟଇ ସିଏ
ଖରା ବରଷା ସହି,
ଶସ୍ଯ ଶ୍ୟାମଳା ହୁଅଇ ମାଟି
ସରଗ ସୁଖ ବାହି ।
ଲୁଙ୍ଗି ଗାମୁଛା ପ୍ରିୟ ପୋଷାକ
ପିନ୍ଧଇ ଚଷାଭାଇ,
ପଖାଳ କଂସା ବଳ ତାହାର
ଆଦରେ ଖାଉଥାଇ ।
ଜୀବନ ତାର ଭାରି ସରଳ
ସଭିଙ୍କ ଆପଣାର,
ହେଲେ ତା ଲୁହ ଶୁଖୁନି କେବେ
ହୋଇଛି ନଈଧାର ।
ସିଏ ଆମର ଅତି ନିଜର
ସୁଖଦୁଃଖର ସାଥୀ,
ତା ପାଇଁ ଆମ ସଂସାର ରଥ
ଗଡୁଛି ପରା ନିତି ।
∎
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ