କବିତା
ଜରି ଗୋଟାଳି ଝିଅ

ଦିନେ ବସିଥିଲା ଝୂମୁରୀ
ପଢ଼ା ବହି ତାର ଆବୋରି
ଦେଖିଲା ଝିଅଟେ ଜରି ଗୋଟାଉଛି
ମୁହଁ ତା ଯାଇଛି ଝାଉଁଳି।
ମୁଣ୍ଡ ବାଳ ତାର ଝାମ୍ପୂରା
ତେଲ ବିନା ଦିଶେ ନୁଖୁରା
କେତେ ହୁଏ ଧନ୍ଦି ବୁଲି ଗଳି କନ୍ଦି
ପେଟର ଭୋକକୁ ସେ ଭୁଲି।
ପ୍ଲାଷ୍ଟିକ ବୋତଲ ସାଉଁଟି
ବସ୍ତାରେ ରଖୁଛି ସାଇତି
ସାଙ୍ଗ ସାଥି ମେଳ ଗାଁ ଇସ୍କୁଲ
ଯାଇଛି କେବେଠୁଁ ପାଶୋରି।
ଝୁମୁରି ଡାକିଲା ପାଖକୁ
ଜରି ଗୋଟାଳି ସେ ଝିଅକୁ
ରହୁ ତୁ କେଉଁଠି କିଏ ଅଛି ସେଠି
କହ ମୋ ଆଗରେ ନ ଡ଼ରି l
ଦେଖି ତା କାନ୍ଦୁରା ମୁହଁକୁ
ଝୁମୁରୀ ଡ଼ାକି ତା ବୋଉକୁ
କହିଲା ମୋ ପାଖେ ଏତେ ଖାତାବହି
ସେ କିଆଁ ବୁଲୁଛି ନ ପଢି?l
ବାପା ହାତ ଧରି ଝୁମୁରି
ପଛେ ଝିଅ ଜରି ଗୋଟାଳି
ଘରେ ପହଞ୍ଚି ତା ବାପାଙ୍କୁ କହିଲା
ନାମ ଲେଖା ହେବ ତାଆରି।
ଗୋଟାଇବ କିଆଁ ଜରି ସେ?
ପାଠ ପଢି ହେବ ପରୀ ସେ
ମୂଲ କୁ ନୁହେଁ ସେ ସ୍କୁଲ୍ କୁ ଗଲେ
ଦୁଃଖ ରହିବନି ତୁମରି।।
∎
ମୋ -9437000636

ଲେଖା ସମ୍ପର୍କୀୟ ମତାମତ
Ganesh mahanty
17-10-2024 / 22:41:35
ଅତି ସୁନ୍ଦର
ଜୟକୃଷ୍ଣ ସାହୁ
07-10-2024 / 21:11:52
କବିତା ମାଧ୍ୟମରେ ସମାଜକୁ ସୁନ୍ଦର ଶିକ୍ଷା ଦେଇଛନ୍ତି କବି। ଧନ୍ୟବାଦ।
କୁଞ୍ଜବିହାରୀ ସାହୁ
05-10-2024 / 07:51:30
ପେଟ ପାଇଁ ନାଟ,କେମିତି ପଢିବ ପାଠ । ଗରିବ ସଵୁବେଳେ ଗରିବ, କିଏ ପଚାରୁଛି ? ଏକ ସାମାଜିକ, ସମ୍ବେଦନଶୀଳ, ଭାବବୋଧର କବିତା ।