କବିତା
ଉପହାର

ଏ ବର୍ଷ ଦଶହରା ଛୁଟିରେ ରୀତୁ ତା ମାମୁ ଘରକୁ ଯାଇଛି । ବୁଲାବୁଲି କରି ଦେବୀ ଦୁର୍ଗାଙ୍କ ମେଢ, ତୋରଣ ଓ ସାଜସଜ୍ଜା ଦେଖିବ । ଖୁସି ହେଇଯିବ ।
ମାମୁ ଘରେ ପହଞ୍ଚୁ ପହଞ୍ଚୁ ତା ମାଇଁ କହିଦେଲେ- ହାପି ବାର୍ଥ ଡେ ରୀତୁ। ରୀତୁ ଥାଙ୍କସ ଜଣେଇଦେଲା । ତା ଅଜା ଆଈ କୁଣ୍ଢେଇ ଗେଲ କରିଦେଲେ । ରୀତୁକୁ ଆଶୀର୍ବାଦ ଦେଲେ । ଭଲ ମଣିଷ ହେଇ ଏ ଦୁନିଆରେ ନାଁ ରଖିବାକୁ କହିଲେ । ରୀତୁ ଖିଲିଖିଲି ହସିଦେଲା ।
ଘରେ ଜଳଖିଆ ଖାଇଲା ରୀତୁ । ଏତିକିବେଳେ ତା ମାମୁ ଚଟାପଟ କେତାେଟି ଶିଶୁପତ୍ରିକା ବଢେଇଦେଲେ । ରୀତୁକୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଜଣେଇଦେଲେ । ରୀତୁ ତୁ ଠିକ୍ ଦିନରେ ପହଞ୍ଚିଛୁ । ଆଜି ତୋ ଜନ୍ମଦିନରେ କେକ୍ ବଦଳରେ ଶିଶୁପତ୍ରିକା ଉପହାର ଦେଲି । ଦେଖ୍ ଦେଖ୍ ଦଶହରା ପୂଜା ପାଇଁ କେତେ ସୁନ୍ଦର ସୁନ୍ଦର, ରଙ୍ଗରଙ୍ଗିଆ ଶିଶୁପତ୍ରିକା ତୋତେ ଦେଇଛି ।
ରୀତୁ ତା ବାପ-ମା ସହ ମହାରାଷ୍ଟ୍ରର ପୁନେ ସହରରେ ରହେ । ଓଡ଼ିଆ ଗପ କବିତା ବହି ପଢିପାରେନା । ସବୁବେଳେ ସ୍କୁଲ ପାଠ । ତେଣୁ ମାମୁଙ୍କ ହାତରୁ ପତ୍ରିକା ଛଡେଇନେଲା ପୂଜା ସଂଖ୍ୟାର ଶିଶୁପତ୍ରିକା ଦେଖି ଖୁସି ହେଇଗଲା । ମାମୁ...ମାମୁ..ତୁମ ଗପ ଏ ପତ୍ରିକାରେ ଛପାହେଇଛି । ଭଲ ଲାଗୁଛି । ମାେ ଜନ୍ମଦିନ କଥା ଲେଖାହେଇଛି । ମୁଁ ଏ ପତ୍ରିକାଗୁଡ଼ିକୁ ପାଖରେ ରଖିବି ?
ରୀତୁର ମାମୁ ଆଗ୍ରହରେ କହିଲେ - ପଢିବାପାଇଁ ଦେଇଛି । ତୁ ପତ୍ରିକା ପଢିଲେ ତୋ ଜ୍ଞାନ ବଢିବ । ଏ ଉପହାର ତୋତେ ଭଲ ମଣିଷଟିଏ କରିଦେବ । ତୁ ସଭିଙ୍କୁ କହିଦେବୁ- ମୁଁ ଓଡ଼ିଆ, ମୋ ଭାଷା ବଢ଼ିଆ ।
ରୀତୁ ଖିଲିଖିଲି ହସିଲା, କହିଲା - ସତରେ ମାମୁ, ତୁମ ଉପହାର ସବୁଠୁ ବଢ଼ିଆ ।
∎
ପାତ୍ରପଡ଼ା, ଭୁବନେଶ୍ବର

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
07-10-2024 / 21:08:01
ପିଲାମାନଙ୍କ ପାଇଁ ଗପଟି ଭଲ ହେଇଛି।
ହରିପ୍ରିୟା ପଟ୍ଟନାୟକ
01-10-2024 / 14:16:58
ଗଳ୍ପଟି ଭଲ ହେଇଛି।ପିଲାଙ୍କ ମନକୁ ପାଇବ।