କବିତା
ଶୁଣିଛ କେବେ ତାହା

ଗହନ ବନେ ମଧୁର ତାନେ
ଝରଣା ଗାଏ ଯାହା
ହୋଇ ଅଧୀର ନିକଟେ ତା`ର
ଶୁଣିଛ କେବେ ତାହା ।।
ରାତି ପାହିଲେ ସକାଳ ହେଲେ
ପକ୍ଷୀଟି ଗାଏ ଯାହା
ନିଦ ଭାଙ୍ଗିଲେ ଆଖି ଖୋଲିଲେ
ଶୁଣିଛ କେବେ ତାହା ।।
ଫୁଲରେ ବସି ରସ ତା` ଶୋଷି
ଭଅଁର ଗାଏ ଯାହା
ମନ ଲଗାଇ ଥରୁଟେ ପାଇଁ
ଶୁଣିଛ କେବେ ତାହା ।।
ମଧୁମାସରେ ଆମ୍ବତୋଟାରେ
କୋଇଲି ଗାଏ ଯାହା
ସେଆଡ଼େ ଆସି ସେଇଠି ବସି
ଶୁଣିଛ କେବେ ତାହା ।।
ଯିବା ବାଟରେ ଖୁସିଖୁସିରେ
ନଈଟି ଗାଏ ଯାହା
ତା` କୂଳେ ରହି ଘଡ଼ିଏ ପାଇଁ
ଶୁଣିଛ କେବେ ତାହା ।।
ସାଗର ତୀରେ ଝାଉଁବଣରେ
ପବନ ଗାଏ ଯାହା
ନିରବ ଥାଇ ମନ ହଜେଇ
ଶୁଣିଛ କେବେ ତାହା ।।
ନାଚିନାଚିକା ଖେଳିଖେଳିକା
ଲହରୀ ଗାଏ ଯାହା
ବିଭୋର ହୋଇ ତା` ଆଡ଼େ ଚାହିଁ
ଶୁଣିଛ କେବେ ତାହା ।।
କେଡ଼େ ସୁନ୍ଦର ଏହି ସଂସାର
ନାନା ସଙ୍ଗୀତେ ଭରା
ଶୁଣିଛି ଯିଏ ଜୀବନକୁ ସେ
କରିଛି ମଧୁଝରା ।।
ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ
ବୀରେନ୍ଦ୍ର ମହାନ୍ତି
02-05-2025 / 14:05:23
ଖୁବ୍ ସୁନ୍ଦର କବିତା