ଗପ
ଅକଲର କଥା କହିଲେ ଦୁହେଁ

ସାନ ଭଉଣୀ ଅଭାବରେ ଥିବା ଶୁଣି ଗଧିଆ ବଡ଼ ଭଉଣୀ ତାକୁ ସାହାଯ୍ୟ କରିବା ପାଇଁ ଉଚିତ ମଣିଲା । ତହିଁ ଆରଦିନ ସକାଳେ ପୁଅ ଗଧିଆକୁ ଚାଉଳ ଭାର ଦେଇ ପଠାଇଲା ମାଉସୀ ଘରକୁ । ତା` ଝିଅ ବି ଭାଇ ସାଙ୍ଗରେ ଗଲା ବୁଲି ଆସିବାକୁ । ଭାଇ ଭଉଣୀ ଦୁହେଁ କଥାବାର୍ତା ହୋଇ, ବାଟରେ ଥକ୍କା ନେଇ ପହଁଚିଗଲେ ମାଉସୀ ଘରେ ।
ପୁଅ ଝିଅକୁ ଦେଖି ମାଉସୀ ଖୁସି ହୋଇଗଲା । ଦୁହିଁଙ୍କର ଝାଳ ଜଡ଼ସଡ଼ ମୁହଁକୁ ପୋଛିଦେଲା ତା` ପଣତ କାନିରେ । ପାଣି ପିଇବାକୁ ଦେଇ ବିନ୍ଚିଦେଲା ବିଣାରେ । ପୁଅ ନେଇଥିବା ଚାଉଳରେ ରୋଷେଇ ଆରମ୍ଭ କଲା । ଛୁଆ ଦୁହିଁଙ୍କୁ ଆମିଷ ଖୁଆଇବ ଭାବି ପଡ଼ିଶା ଘରକୁ ଚାଲିଲା ମାଉସୀ ।
ପଡ଼ିଶା ଘର ବୁଢ଼ା ଗଧିଆଟି ଭାରି ଥିଲାବାଲା । ତା ପାଖରୁ ମାଉଁସ ଖଣ୍ଡେ ଆଣିବା ସହିତ ଟଙ୍କା ଦି`ଶହ ମଧ୍ୟ କରଜ ଆଣିଲା ଛୁଆ ଦୁହିଁଙ୍କ ପାଇଁ ନୂଆ ପ୍ୟାନ୍ଟ ସାର୍ଟ କିଣିବା ଆଶାରେ । ପୁଅ ଝିଅ ଦୁହେଁ ଖୁବ୍ ଖୁସିରେ ସେଦିନ ଖାଇ ପିଇ ମାଉସୀ ପାଖରୁ ଗପ ଶୁଣି ଶୁଣି ଶୋଇ ପଡ଼ିଲେ ଆରାମରେ ।
ତହିଁ ଆରଦିନ ସକାଳେ ମାଉସୀ ହାଟକୁ ଯିବା ପାଇଁ ସଜ ହେବାରୁ ଭାଇ ଭଉଣୀ ଦୁହେଁ ଜାଣିପାରିଲେ ।
ସାନପୁଅ କହିଲା, ମାଉସୀ ! ତୋର ଦୁଃଖ ଅଭାବ ଶୁଣି ମା` ମତେ ଚାଉଳ ଦେଇ ପଠାଇଲେ ତୋ ପାଖକୁ ।
ବଡ଼ଝିଅ କହିଲା, ହଁ ମାଉସୀ ! ଏଇ ଅଭାବରେ ଅନ୍ୟଠାରୁ ଉଧାର ଆଣି ଆମକୁ ନୂଆ ପିନ୍ଧାଇବା ଆଦୌ ଉଚିତ ନୁହେଁ । ନୂଆ ଜାମା ପ୍ୟାନ୍ଟ ପିନ୍ଧିଲେ ଆମେ ଅଳ୍ପ କିଛି ସମୟ ପାଇଁ ହୁଏତ ଖୁସି ଅନୁଭବ କରିବୁ, କିନ୍ତୁ ତୋର ଆଶୀର୍ବାଦ ମିଳିଲେ ଆମେ ଜୀବନ ସାରା କୌଣସି କାମରେ ହାରି ଯିବୁନି । ସବୁଠାରେ ସଫଳତା ଲଭିବା ପାଇଁ କେବଳ ତୋର କଲ୍ୟାଣ ଆମକୁ ଲୋଡ଼ା ।
ଛୁଆ ଦୁହିଁଙ୍କ ମୁହଁରୁ ଏମିତି ଅକଲର କଥା ଶୁଣି ମାଉସୀ ନିଜକୁ ଭାଗ୍ୟବତୀ ମଣୁଥିଲା । ସେମାନେ ମାଉସୀର ପାଦ ଛୁଇଁ ଘର ମୁହାଁ ହେବାରୁ ମାଉସୀ ତାଙ୍କୁ ବାଟେଇ ଦେବାକୁ ଆସିଥିଲା ଢେର୍ ବାଟ ଯାଏଁ ।
∎
ସଦସ୍ୟ-ଶିଶୁ କିଶୋର ସାହିତ୍ୟ ଏକାଡ଼େମୀ
ଭୁବନେଶ୍ବର, ମୋ-୯୪୩୭୭୫୧୭୩୩

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
16-08-2024 / 19:08:30
ଗଳ୍ପଟି ଭଲ ହେଇଛି।କିନ୍ତୁ ଗୋଟିଏ ଗୋଟିଏ ଜାଗାରେ ବନାନ ଅଶୁଦ୍ଧ ଅଛି।
ଚିନ୍ମୟୀ ମହାନ୍ତି
02-08-2024 / 16:21:18
ଗପଟି ପିଲାଙ୍କ ପାଇଁ ଶିକ୍ଷଣୀୟ ହୋଇଛି । ଭଲ ଲାଗୁଛି ।
ଡଃ ବିଜୟା ପାତ୍ର
01-08-2024 / 10:12:42
ସୁନ୍ଦର ଉପଦେଶାତ୍ମକ ରଚନା। ଭଲ ଲାଗିଲା।