କବିତା
ଚଇତ ମଲ୍ଲୀରୁ ଗୋଟେ

ଶୀତ ସରିଗଲା ଫଗୁଣ ଆଣିଲା
କଅଁଳିଲା ଝରା ପତର
ବାଡ଼ି ବଗିଚାରେ ଖେଳି ସାରିଲାଣି
ବସନ୍ତ ଆସିବା ଖବର l
ଆମ୍ବ ଗଛ ସବୁ ନଇଁ ପଡିଲେଣି
ନୂଆ ନୂଆ ଫୁଲ ଭାରରେ
ଆଉକେତେଦିନେ ବଉଳ ଝଡିବ
ଚଣା ଆସିଯିବ ଡାଳରେ l
ବାଡ଼ି ବଗିଚାରେ ଶୁଖି ଆସୁଥିଲା
ସବୁଜିଆ ମଲ୍ଲୀ ପତର
ପତର କଅଁଳି ଅଗେଇ ଗଲାଣି
ମଳୟ କରିଲା ମନ୍ତର l
ଗଛ ମୂଳଟିକେ ସଫା ସଫି କରି
ଖତ ପାଣି ଦେଲେ ମୂଳରେ
ଆଉ କେତେ ଦିନେ କଢି ଆସିଯିବ
ବାସ ଚହଟିବ ବାହାରେ l
ଧୋବ ଫର ଫର ମଲ୍ଲୀ ଫୁଟିଯିବ
ଚଇତ ମହକି ଉଠିବ
ବାଟଚଲା ଲୋକ ସଞ୍ଜ ପହରରେ
ଘଡିଏ ଅଟକି ରହିବ l
ଜେଜେମା କହନ୍ତି ଆଷାଢ଼ିଆ ମଲ୍ଲୀ
ପାଛିଆରେ ଆଣ ପାଛିଏ
ବଇଶାଖ ମଲ୍ଲୀ ମୁଠାଏ ସମାନ
ଚଇତ ମଲ୍ଲୀରୁ ଗୋଟିଏ l
∎
ସ୍ବପ୍ନ ସ୍ମୃତି, ଶ୍ରୀହରିବିହାର, ଗହ୍ମାରିଆ
କେନ୍ଦୁଝର ଗଡ଼
୯୩୪୮୫୧୬୦୦୧

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
01-04-2026 / 22:47:00
ବହୁତ ସୁନ୍ଦର କବିତା।ମନ ଖୁସି ହେଇଗଲା।