କବିତା
କୋଇଲି ଗାଉଛି ଗୀତ

କୋଇଲି ଗାଉଛି ଗୀତ ଶୀତ ଯାଇ ଏବେ ବସନ୍ତ ଆସିଛି
ଅପରୂପ ଶୋଭା ନେଇ,
ଫୁଲର ଫଗୁଣ ଚପଳ ଚଇତ
ଆଣିଛି ସାଙ୍ଗରେ ସେହି ॥
ନାହିଁ ଶୀତ ନାହିଁ ଖରାର ପ୍ରକୋପ
ନାହିଁ ଭୟ ବରଷାର,
ସବୁ ରୁତୁଠାରୁ ସାର ବୋଲି ସିଏ
ରୁତୁରାଜ ନାମ ତା`ର ॥
ଥୁଣ୍ଟାଗଛ ଦେହେ କଅଁଳି ପତର
ଗହଳ ଦିଶୁଛି ସେ`ତ ,
ଆମ୍ବଡାଳେ ଲୁଚି କୁହୁକୁହୁ ସୁରେ
କୋଇଲି ଗାଉଛି ଗୀତ ॥
କୋଇଲିର ସ୍ୱର କେଡେ ସୁମଧୁର
ଶୁଣିଲେ ଲାଗଇ ଖୁସି,
ରୂପ ସିନା କଳା ହେଲେ କି ହୋଇବ
ସ୍ୱର ତା` ମଧୁର ବେଶି ॥
କେଉଁଠି କେଜାଣି ଥାଏ ସେ`କୋଇଲି
ବସନ୍ତ ଆସିଲେ ଆସେ ,
ମଳୟ ପବନ ସାଥେ ତା`ର ଗାନ
ସଭିଙ୍କ ପ୍ରାଣକୁ ତୋଷେ ॥
ରୂପଠାରୁ ଗୁଣ ପାଏଟି ଆଦର
ଏହି ବାରତା ସେ` ଦେଇ ,
ବସନ୍ତ ସହିତ ଫେରିଯାଏ ତା`ର
କୁହୁ ସ୍ୱନ ସାଥେ ନେଇ ॥
∎
ନୀଳାଦ୍ରିବିହାର
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
01-04-2026 / 22:29:22
ଋତୁର ବର୍ଣ୍ଣନା ସହିତ ଶିକ୍ଷଣୀୟ କବିତାଟି।ଭଲଲାଗିଲା। ଧନ୍ୟବାଦ।
ଜୟକୃଷ୍ଣ ସାହୁ
01-04-2026 / 19:21:35
ଵସନ୍ତ ଋତୁର ବର୍ଣନା ଚମତ୍କାର ହୋଇଛି। ଧନ୍ୟବାଦ ମାମ୍।