କବିତା
ମରତେ ଆସଇ ଶରତ

ଧାରା ଶିରାବଣ ମାସ ଶେଷ ପରେ
ମରତେ ଆସଇ ଶରତ
ନିରିମଳ ଶୋଭା କେଡେ ମନଲୋଭା
ରୁଚିର ଦିଶଇ ଜଗତ |
ସବୁଜ ପଣତେ ହସଇ ଧରଣୀ
କାଶତଣ୍ଡୀ ଫୁଲ ଧବଳ
ଦୋଳି ଖେଳୁଥାଏ ପବନ ଦୋଳିରେ
ବିଲ ବଣ ଦିଶେ ଶ୍ୟାମଳ |
ଭାସି ବୁଲୁଥାଏ ଧଳା ମେଘ ଖଣ୍ଡ
ଆନନ୍ଦେ ସୁନୀଳ ଅମ୍ବରେ
କଅଁଳ ଖରାରେ ଘଷିମାଜି ହୋଇ
ଆଈ ଆସୁଥାଏ ଦମ୍ଭରେ |
ରାସ୍ତାଘାଟ ସବୁ ଶୁଖିଲା ଦିଶଇ
ନିରିମଳ ନଦୀ ଝରଣା
ମାଈ କାକରରେ ଭିଜି ଭିଜି ଯାଏ
ଗାଆଁ ଦାଣ୍ଡ ବାଡ଼ି ଅଗଣା |
କୁଳୁ କୁଳୁ ଗୀତେ ପାହାଡ଼ୁ ଝରଣା
ଝର ଝର ହୋଇ ଝରଇ
ଗୋଠଫେରା ଗାଈ ବେକରେ ଘାଗୁଡ଼ି
ମଧୁର ସ୍ୱରରେ ବାଜଇ |
ମାଆ ଦଶଭୁଜା ଗଜ ବାହାନରେ
ଓହ୍ଲାଇ ଆସନ୍ତି ମରତେ
ଚାରିଆଡେ ଖାଲି ପାର୍ବଣ ପାର୍ବଣ
ଶୋଭାରାଣୀ ହସେ ଶରତେ |
ସମ୍ପାଦକ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ, ଫୁଲବାଣୀ -762001
ମୋବାଇଲ – 8895119944

ଲେଖା ସମ୍ପର୍କୀୟ ମତାମତ