Skip to content
ଶିଶୁ କିଶୋର

କବିତା

ଶରତ ରାଜା

ଶରତ  ରାଜା

ଶରତ ରାଜା ଶରତ ରାଜା
ବାଜୁନି କାହିଁ ବାଦଲ ବାଜା
ଆକାଶୁ ପାଣି ପଡ଼ୁନି ଖୋଜା
ଖୁସି ଅଛନ୍ତି ତୁମ ପରଜା
ଆସୁଛ ବୋଲି ଜାଣି
ବେଙ୍ଗ ଡାହୁକ ଡାକ ନଶୁଭେ

ହୋଇ ଗଲେଣି ତୁନି।
ଧଳା ଚାମର ହାତରେ ଧରି
କାଶ ଗାଉଛି ତୁମରି ଲୋରି
ପବନ ବହେ ଶି ଇ ରି ଶିରି
ନଈ ପଠା ତ ସରଗ ପୁରୀ
କୁମୁଦ ନୀଳକଇଁ
ବନ୍ଦନା କରେ ଚାନ୍ଦିନୀ ରାତି
ତୁମ ଆସିବା ଚାହିଁ।
ଗଛ ପତରେ ମାଈ କାକର
ପଡ଼ିବା କ୍ଷଣି ସୂରୁଜ କର
ଉଜ୍ଜଳି ଉଠେ ମୋତି ପ୍ରକାର
ସଜାଇ ହାର ତୁମ ଗଳାର
ମଙ୍ଗଳ ଗୀତି ଗାଏ
ବନ କାନନ କ୍ଷେତ ଖମାର
ସବୁଜ ରୂପ ଶୋହେ।
ଶରତ ସଫା ଚାନ୍ଦିନୀ ତଳେ
କୁମାରୀ ମନ ଭଉଁରୀ ଖେଳେ
ସାଙ୍ଗ ମେଳ ଓ ଲୁଚକାଳି ରେ
ରାତି ଟି ସରେ ପୁଚି ଖେଳରେ
ବଉଳବେଣୀ ଗାଇ
ଚାନ୍ଦ କୁ ପୂଜେ ମନ ଟି ହଜେ
ପ୍ରୀତି ସରାଗ ଦେଇ।
ସ୍ୱଚ୍ଛତା ସେବା ଵାରତା ଧରି
ଆସିଛ ତୁମେ ମରତ ପୁରୀ
ସଫା ସୁନ୍ଦର ରୂପ ମାଧୁରୀ
ମନ ବଚନେ ରଖିବା ଜାରି
ଆଗୁଆ ହେବା ଆମେ
ଶରତ ରାଜା ବଚନ ହେଜା
ଦେଖେଇ ଦେବା କାମେ।
∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଜୟକୃଷ୍ଣ ସାହୁ

03-10-2025 / 16:35:28

ଶରତ ଋତୁକୁ ନେଇ ଲେଖାଟି ଖୁବ୍ ଭଲ ହୋଇଛି। ଧନ୍ୟବାଦ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion