କବିତା
କେଉଁଠି କାହାର ଘର

ସବୁଠୁ ବୁଦ୍ଧିଆ ମଣିଷ ମାଧିଆ
ନିଜର ସୁରକ୍ଷା ପାଇଁ
ଧରଣୀ ଉପରେ ଗଢିଥାଏ ଘର
କାହାକୁ ସେ ଡରେ ନାଇଁ ।
ଗୋଡ଼ି ସିମେଣ୍ଟ ଓ ଲୁହାଛଡ ଦେଇ
ମଣିଷ ଗଢେ ତା ଘର
ହାତୀ ବାଘ ଭାଲୁ ଯେତେ ପ୍ରାଣୀ ସବୁ
କାହାକୁ ନଥାଏ ଡର ।
ରୋହି ଭାକୁର ଓ ଚିଙ୍ଗୁଡି କଉଁଛ
ରହନ୍ତି ଗଭୀର ଜଳେ
ଦଣ୍ଡିକିରି ମାଛ ଉପରେ ଭାସନ୍ତି
ତୋଡ଼ି ଘର ପଙ୍କ ତଳେ ।
ସାପ କୋଚିଆ ଓ ନେଉଳ ଯେ ଗୋଧି
ଗାତଟି ତାଙ୍କର ବାସ
ବୁଢିଆଣି ଘର ଜାଲ ପରି ଥାଏ
ମଶା ପାଇଁ ଏହା ଫାଶ ।
କଣ୍ଟିଆ ବିଛା ଓ ଗଉଡୁଣୀ ପୋକ
ରହନ୍ତି ପଥର ତଳେ
ବାଇ ଚଢେଇର ତାଳ ବାହୁଙ୍ଗାରେ
ବସାଟି ସୁନ୍ଦର ଝୁଲେ ।
ଛେଳି ଗାଈଗୋରୁ ବାସଟିର ନାମ
ଗୁହାଳ କହନ୍ତି ଜନେ
ବାଘସିଂହ ହିଂସ୍ରଜନ୍ତୁ ରହିଥାନ୍ତି
ଗୁମ୍ଫା ଥାଏ ଯେତେ ବନେ ।
ଖାଲଖମା ଯେତେ ଅସନା ଜାଗାଟି
ମଶା ମାଛିଙ୍କର ବାସ
ଉକୁଣିର ବାସ ଜାଣ ଘନ କେଶ
ଟାଣଇ ମଣିଷ ରସ ।
ଓଡ଼ଶପୋକଟି ଘର କରିଥାଏ
ଖଟପଲଙ୍କର ଫାଙ୍କେ
ଗାଢ ନିଦରେ ଶୋଇଗଲେ ନର
ଦେହରୁ ରକତ ଝିଙ୍କେ ।
ବିଧିର ବିଧାନ ଜୀବଙ୍କର ପ୍ରାଣ
କିପରି ସୁରକ୍ଷା ହେବ
ବିଶ୍ଵର ନିୟନ୍ତା ଆହେ ବିଶ୍ଵକର୍ମା
ଏ ବିଚାର ତୁମ ଥିବ ।
∎
ରୋଗଡା ପାଳ, କରମୂଳ
ଢେଙ୍କାନାଳ
ଦୂରଭାଷ_୯୯୩୮୮୦୨୪୧୨

ଲେଖା ସମ୍ପର୍କୀୟ ମତାମତ
Dinabandhupoi
03-06-2025 / 11:55:42
ମତାମତ ରଖିଥିବା ସମସ୍ତ ପାଠକ ବନ୍ଧୁ ମାନଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁର୍ଛି / ପୂଜ୍ୟ ଖୁଣ୍ଟିଆ ସାର ଓ ପୂଜ୍ୟ ସ୍ୱାଇଁ ମହାଶୟ ଙ୍କୁ କହିବାକୁ ଚାହେଁ ମାଧିଆ ଜଣେ ବ୍ୟକ୍ତିଙ୍କର ନାମ ରୂପେ ଧରିଛି ଓ ବିଛାକୁ ଆମର ଆଞ୍ଚଳିକ ଭାଷା ହିସାବରେ କଣ୍ଟିଆ ବିଛା କୁହାଯାଏ । ଜୟ ଜଗନ୍ନାଥ
ମୋହନ କୁମାର ସ୍ୱାଇଁ
31-05-2025 / 21:02:12
କଣ୍ଟିଆ ବିଛା ନୁହେଁ ଏହାକୁ କଙ୍କଡା ବିଛା କୁହାଯାଏ । ମଣିସ ମାଧିଆ ଶବ୍ଦଟି ଏଠାରେ ପ୍ରଯୁଜ୍ୟ ନୁହେଁ । ଆମେ ବୋକା ଲୋକଙ୍କୁ ଓଲା ମାଧିଆ କହୁ ।ଦୀନବନ୍ଧୁ ବାବୁ ଜଣେ ଭଲ ଶିଶୁ ସାହିତ୍ୟିକ । ଏହା ଏକ ତ୍ରୁଟି ହୋଇ ଥାଇପାରେ ।
ଗୋଲୋକବିହାରୀ ବେହେରା
03-03-2025 / 20:17:07
ଅତି ସୁନ୍ଦର ସରଳ ସାବଲୀଳ ଭାବରେ ଲେଖିଛନ୍ତି କବିତା। ଖୁବ୍ ଭଲ ଲାଗିଲା। ପିଲାଙ୍କ ମନ ଲାଖି କବିତା। ଅଭିନନ୍ଦନ
ଲଷ୍ମୀ କାନ୍ତ ଖୁଣ୍ଟିଆ
01-03-2025 / 11:45:39
ବୁଦ୍ଧିଆ ମଣିଷ ମାଧିଆ ହେବନାହିଁ ଦୀନବନ୍ଧୁ ବାବୁଙ୍କ କବିତା ସୁନ୍ଦର ବାର୍ତ୍ତା ଦେଉଛି
କୀର୍ତ୍ତନ ସାହୁ
01-03-2025 / 10:45:10
ଭଲ ହେଇଛି।