କବିତା
ଅଗଷ୍ଟ ପନ୍ଦର ଦିନ

ଦିବସ ଭିତରେ ଗୋଟିଏ ଦିବସ
ଦେଶର ଜନମ ଦିନ
ଆଜି ତାରିଖରେ ଫିରିଙ୍ଗି ହଟିଲେ ଦେଶ ହୋଇଲା ସ୍ୱାଧୀନ I
ଅଗଷ୍ଟ ପନ୍ଦର ଜାତି ଇତିହାସେ
ହେଲା ସ୍ମରଣୀୟ ଦିନ
ହରଷେ ଉଡ଼ିଲା ଜାତୀୟ ପତାକା
ଲାଲକିଲ୍ଲା ମଇଦାନ I
ପରାଧୀନତାର ଶୃଙ୍ଖଳ ହଟିଲା
ଫିରିଙ୍ଗି ସ୍ୱଦେଶ ଗଲେ
ଆମରି ହାତରେ ଶାସନର ଡୋରି
ଧରାଇ ଦେଇ ଫେରିଲେ I
ବାପୁମହାତମା ଡାକରା ଯେ ଦେଲେ
ସଭିଏଁ ଶପଥ ନିଅ
ଦେଶକୁ ସ୍ୱାଧୀନ କରିବା ପଣରେ
ଦେଶବାସୀ ସଦା ରୁହ I
କେତେହରତାଳ କେତେଆନ୍ଦୋଳନ
ଦେଶରେ ମୁଣ୍ଡ ଟେକିଲା
ଫିରିଙ୍ଗିଗୁଳିରେ ଯେତେ ଟଳିଗଲେ
ସେତେ ନିଆଁ କୁହୁଳିଲା I
ଆନ୍ଦୋଳନ ବହ୍ନି ହେଲା ପ୍ରଜ୍ଜ୍ୱଳିତ
ନଥମିଲା ଆନ୍ଦୋଳନ
ଭାରତଛାଡ଼ ର ଡାକରା ଶୁଭିଲା
ଗାନ୍ଧିଜୀ ଦେଲେ ଆହ୍ୱାନ I
ଫିରିଙ୍ଗିଙ୍କ ସବୁ କଳ କଉଶଳ
କାମ ଆଉ ଦେଲା ନାହିଁ
ଶେଷକୁ ଫେରିଲେ ଆପଣା ଦେଶକୁ
ସାତ ସମୁଦ୍ରକୁ ଡେଇଁ I
ଉଣେଇଶ ସତ ଚାଲିଶି ମସିହା
ଅଗଷ୍ଟ ପନ୍ଦର ଦିନ
ତ୍ରିରଙ୍ଗା ଉଡ଼ିଲା ଫରଫର ହୋଇ
ଗାଇ ଜନ ଗଣ ମନ I
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
କୀର୍ତ୍ତନ ସାହୁ
06-08-2025 / 17:21:53
ଖୁବ୍ ସୁନ୍ଦର ହେଇଛି।