କବିତା
କୁନିପିଲା କାହ୍ନୁ

କୁନିପିଲା କାହ୍ନୁ ଭାରି ଅମାନିଆ
ମାନେନାହିଁ କାହାକଥା
ଘରୁ ଲୁଚି ଲୁଚି ଯାଏ ଏଣେ ତେଣେ
ଘୂରଇ ମାଆଙ୍କ ମଥା ||
ଘରେ ଘରେ ପଶି ଚୋରାଇ ଖାଏସେ
କେତେଯେ ଲହୁଣୀ ସର
ତେନ୍ତୁଳିଛାଟରେ ମାଡ଼ଖାଏ କାହ୍ନୁ
ମାଆ ହାତୁ ବହୁଥର ||
ଜଙ୍ଗଲକୁ ଯାଇ ଚରାଏସେ ଗାଈ
ହୁଏ ଦେହ ଧୂଳିମଳି
ତା ଦେହକୁ ପୋଛି ମାଆ ଯଶୋମତି
କୋଳକୁ ନିଅନ୍ତି ତୋଳି ||
ଗୋପବାସୀଙ୍କର ପାଏ ସେ ଆଦର
ସେନେହ ଶରଧା ଗେଲ
ଫୁଟିଥିଲା କାହ୍ନୁ ଗୋପ କାନନରେ
ହେଇ ଏକ ସଜଫୁଲ ||
ସୁଦାମ ସୁବଳ ସଖା ସାଥେ ଖେଳେ
ଗହନ କାନନ କୋଳେ
ସାଥୀ ହେଇ ଚଢ଼ି ଗଛର ଡାଳରୁ
ମିଠା ଫଳ କୋଳି ତୋଳେ ||
କଂସ ବନ୍ଦୀଘରେ ଜନମ ନେଇ ସେ
ଆସିଥିଲା ଗୋପପୁର
ଗୋପୀ ଗୋପାଳଙ୍କୁ ଛାଡି ଚାଲିଗଲା
ଦିନେ ସେତ ବହୁଦୂର ||
ଡାକନ୍ତି ଯଶୋଦା ଫେରିଆ କାହ୍ନୁରେ
ଆରେ ମୋ ନୟନତାରା
ଆକାଶ ଛାତିର ତୁ ପୁନେଇଁଜହ୍ନ
ଶତ ବରଷାର ଧାରା ||
କୁନିପିଲା କାହ୍ନୁ କରିଥିଲା କେତେ
ଦୁଷ୍ଟ ଅସୁରଙ୍କୁ ନାଶ
କୁନି ପିଲା ନୁହେଁ ବିଶ୍ଵ କାରିଗର
ପୂଜିବା ତାକୁରେ ଆସ ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ବିଜୟା
01-08-2025 / 21:51:43
ବହୁତ ବଢିଆ। ଜନ୍ମାଷ୍ଟମୀ ଉପରେ ଆଧାରିତ କବିତା ସମସ୍ତଙ୍କ ମନକୁ ଛୁଇଁବ ନିଶ୍ଚୟ।
Mohan Kumar swain
01-08-2025 / 16:01:03
ଅତି ସୁନ୍ଦର କବିତା । ପଢିଲା ଭଳି ଲାଗିଲା ।
Prabasini Mishra
01-08-2025 / 14:15:25
ଅତି ସୁନ୍ଦର କଳା କାହ୍ନା କଥାକୁ ପିଲାମାନଙ୍କ ପାଇଁ ଭେଟି ଦେଇଛନ୍ତି
ଜୟକୃଷ୍ଣ ସାହୁ
01-08-2025 / 11:34:37
କବିତାଟି ଅତି ସୁନ୍ଦର ହୋଇଛି। କବିଙ୍କୁ ଅଶେଷ ଧନ୍ୟବାଦ।