ଗପ
ଫୁଲର ମହକ

ଯଶୋଧାରା ସହରରେ ଥାଇ କୌଣସି ଏକ ବାଳିକା ବିଦ୍ଯାଳୟରେ ଅଷ୍ଟମ ଶ୍ରେଣୀରେ ପଢେ।ସେ ଅତ୍ୟନ୍ତ ସୁନ୍ଦରୀ ଓ ମେଧାବୀ ମଧ୍ଯ। ସେ ସବୁ ବିଷୟରେ ଭଲ ନମ୍ବର ରଖି ଶ୍ରେଣୀରେ ପ୍ରଥମ ହୁଏ। ହେଲେ ଅଧିକାଂଶ ଛାତ୍ରୀ ତାକୁ ଭଲ ପା`ନ୍ତି ନାହିଁ।ତାର ଏକମାତ୍ର କାରଣ ସେ ଅତ୍ୟନ୍ତ ଅହଂକାରୀ ଓ ସ୍ବାର୍ଥପର ଥିଲା।ସେ ରୂପବତୀ ଓ ଜ୍ଞାନୀ ହୋଇଥିବାରୁ ତା ମନରେ ସର୍ବଦା ଗର୍ବ ଥାଏ। ଦ୍ବିତୀୟତଃ ସେ କାହାରିକୁ ନିଜର ସାହାଯ୍ଯର ହାତ ବଢାଏ ନାହିଁ।ସେ ଭାବେ,ନିଜେ ଭଲତ ଦୁନିଆ ଭଲ।ଶ୍ରେଣୀରେ ପଢୁଥିବା ଅନ୍ଯାନ୍ଯ ଛାତ୍ରୀମାନେ ଯଦି କେତେବେଳେ ତାହାଠାରୁ ସାହାଯ୍ଯ ଆଶା କରନ୍ତି ସେ ରୋକଠୋକ୍ ମନା କରିଦିଏ। ମୁହଁରେ କହେ ,ମୋର ବେଳ ନାହିଁ।ତୁମ କଥା ତୁମେ ବୁଝ। ସେ ଗଣିତରେ ଅତ୍ୟନ୍ତ ଭଲ ନମ୍ବର ରଖେ।କହିବାକୁ ଗଲେ,ଶହେରୁ ଶହେ ରଖିବାକୁ ଯାଏ। ମାତ୍ର ଅନ୍ୟମାନଙ୍କୁ ଗଣିତ କେବେ ବୁଝାଇବାକୁ ଯାଏ ନାହିଁ।ପଚାରିଲେ କହେ,ତୁମେ ଶିକ୍ଷକଙ୍କୁ ପଚାରି ବୁଝିବ। ସେହିପରି ଅନ୍ଯ ବିଷୟରେ ମଧ୍ଯ ମୁହଁ ଆଡେଇ ଚାଲିଯାଏ। ଏହି କଥାକୁ ନେଇ ସେ ଅନ୍ଯମାନଙ୍କ ଠାରେ ଅପ୍ରିୟ ହୁଏ।
ଫଗୁଣ ମାସ। ଘରର ଛାତ ଉପରେ ମୃଦୁ ମଳୟ ବହୁଥାଏ। ସେ ଫୁଲକୁ ଅତ୍ୟନ୍ତ ଭଲ ପାଏ। ସଂଧ୍ଯାବେଳେ ସେ ଛାତକୁ ଯାଇ ଫୁଲ ଗଛରେ ପାଣିଦିଏ।ଛାତ ଉପରେ କିଛି ସମୟ ବସିରହି ପ୍ରକୃତିକୁ ଉପଭୋଗ କରେ।ଦୂର ଆକାଶକୁ ଏକ ଲୟରେ ଚାହିଁରହେ।ପକ୍ଷୀର ଡେଣା ଗଣିବାକୁ ଚେଷ୍ଟାକରେ।ଫୁଲ ମାନଙ୍କର ସୌନ୍ଦର୍ଯ୍ୟରେ ମଜ୍ଜିଯାଏ।ସେ ଛାତ ଉପରେ ବସିଥିବା ସମୟରେ ମନ୍ଦମଳୟ ବୋହିବାକୁ ଆରମ୍ଭ କଲା।ବୋହି ଆସୁଥିବା ମଲ୍ଲୀଫୁଲର ମହକକୁ ସେ ଆଘ୍ରାଣ କରିବାର ସୁଯୋଗ ପାଇଲା।କେବଳ ମଲ୍ଲୀ ଫୁଲ କାହିଁକି, ଅନ୍ଯାନ୍ଯ ଫୁଲର ବାସ୍ନାକୁ ସେ ସହଜରେ ବାରି ପାରିଲା।ତାର କିଶୋରୀ ମନ ଆନନ୍ଦରେ କଲ୍ଲୋଳିତ ହେଲା।ଫୁଲମାନେ ସତେକି ତା କାନରେ କହିଲେ,ରେ ଯଶୋଧାରା !ନିଜର ଗୁଣକୁ ନିଜ ପାଖରେ ରଖିଲେ କିଛି ଲାଭ ନାହିଁ।ବରଂ ଅପରକୁ ଦାନ କଲେ ଆନନ୍ଦ ମିଳେ।ଯେପରି ଆମ୍ଭେମାନେ ନିଜ ନିଜର ମହମକୁ ସାରା ଜଗତକୁ ବାଣ୍ଟି ପାରୁଛୁ।
ଯଶୋଧାରା ଜ୍ଞାନୀ ହୋଇ ଥିବାରୁ ସେ ଫୁଲର ମହକକୁ ସହଜରେ ବୁଝି ପାରିଲା।ସେ ମନକୁମନ ପ୍ରଶ୍ନ କଲା,ମୋ ପାଖରେ ଥିବା ଜ୍ଞାନକୁ ମୁଁ କାହାକୁ ତ ବିତରଣ କରୁନାହିଁ ?ତେବେ ମୋ ପାଠ ପଢିବାର ମୂଲ୍ଯ କଣ ରହିଲା ?ମାଆ ତାର ସବୁବେଳେ କହନ୍ତି,ଜ୍ଞାନ ଅପରକୁ ଦାନ କଲେ ଜ୍ଞାନ ବୃଦ୍ଧିପାଏ।ଆଦୌ କମେ ନାହିଁ।
ଯଶୋଧାରା ତାପରଠୁ ନିଜର ଭୁଲ ବୁଝିପାରିଲା।ସେ ନିଜେ ପଢିଥିବା ପାଠକୁ ନିଜର ସାଙ୍ଗସାଥୀଙ୍କୁ ବିତରଣ କଲା।ଯିଏ ଯେତେଥର ପଚାରିଲା ନିଜର ପାରୁପର୍ଯ୍ଯନ୍ତ ବୁଝାଇବାକୁ ଚେଷ୍ଟାକଲା।କ୍ରମଶଃ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଲା।ଏପରିକି ଶିକ୍ଷକ ଓ ଗୁରୁଜନମାନେ ତାର ଗୁଣକୁ ଆଦର କଲେ।ସେ ଫୁଲ ସମ ମହକି ଉଠିଲା।
∎
ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ, ମୋ-୯୪୩୭୧୮୧୧୯୬.

ଲେଖା ସମ୍ପର୍କୀୟ ମତାମତ
Dinabandhu Poi
27-05-2026 / 23:02:46
ଭାରି ଶିକ୍ଷଣୀୟ ଗପ, ଜ୍ଞାନ ବାଣ୍ଟିଲେ ସତରେ ବଢେ , ପ୍ରଣାମ ସାର