କବିତା
ସପନ ମୋ ଭାଙ୍ଗିଯାଏ

ବିଶ୍ଵମ୍ଭର ନାମ ତାର ଡାକ ନାମ ବିଶି
ଦେହ ଦିଶେ ନଡ଼ନଡ଼ ମୁହଁ ଖୁସି ଖୁସି ।
ଧରିଥାଏ ବାଡ଼ି ଖଣ୍ଡେ ନିଜ ଠାରୁ ବଡ଼
ବାଡି ଚାରିପଟେ ବେଢିଥାଏ ତାର ଗୋଡ଼ ।
ଆମେ ଯେବେ ଖେଳୁ ଥାଉ ଏକା ଥାଏ ବସି
ପାଖରେ ଶୁଆଇ ବାଡ଼ି ତାଳି ମାରେ ହସି ।
ଖେଳୁଖେଳୁ ବଲ ଯଦି ଗଡ଼ି ଯାଏ କେବେ
ନଇଁ ପଡ଼ି ଗୋଟେଇକି ଫିଙ୍ଗିଦିଏ ତେବେ ।
ତା ଆଖିରେ କଣ ଥାଏ ମୁଁ ତାରେ ଚାହେଁ
ଘଡ଼ିଏ ଉଦାସ ହୋଇ କାହିଁକି ବା ରହେ ।
ସପନରେ ଦେଖେ ମୁହିଁ ହୋଇଛି ଡାକ୍ତର
ବଙ୍କା ଗୋଡ଼କୁ ସଜାଡ଼ି ପାରୁଛି ବିଶିର ।
ବିଶି ଚାଲୁଛି ଦର୍ପରେ କଥା କହିକହି
ହାତରେ ତା ଡେଙ୍ଗା ବାଡ଼ି ଆଉ ଦିଶୁ ନାହିଁ ।
ସପନ ମୋ ଭାଙ୍ଗିଯାଏ କାହାର ଡାକରେ
କବାଟ ଖୋଲିଲେ ବିଶି ଦୁଆର ପାଖରେ ।

ଲେଖା ସମ୍ପର୍କୀୟ ମତାମତ
ଅନନ୍ତ କୁମାର ସେନାପତି
22-08-2024 / 18:05:45
ମନ ଛୁଆଁ କବିତା
ଜୟକୃଷ୍ଣ ସାହୁ
04-02-2024 / 16:44:45
କଵିତାଟି ଖୁବ୍ ଭଲହୋଇଚି।
ସଂଯୁକ୍ତା ପରିଚ୍ଛା
30-01-2024 / 14:40:54
ମନଛୁଆଁ ଶିକ୍ଷଣୀୟ କବିତାଟିଏ ।
ହରିହର ଶୁକ୍ଳ
29-01-2024 / 23:04:54
ବେଶ୍ ମନଛୁଆଁ ଓ ଶିକ୍ଷଣୀୟ ହୋଇଛି କବିତାଟି।
ହରପ୍ରିୟା ପଟ୍ଟନାୟକ
29-01-2024 / 17:37:51
ସୁନ୍ଦର କବିତା।ପରୋପକାର ଶିକ୍ଷା ପାଇବେ ପିଲାଏ।