କବିତା
ଆମ ଜେଜେ

ହାତେ ଧରି ବାଡି ଆକଟ କରନ୍ତି
ସକାଳରୁ ସଞ୍ଜ ଯାଏ,
ଅବୁଝା ହୋଇଲେ ଗାଳି ଦେଇ ସାରି
ଦୁଃଖ କରିଥାନ୍ତି ସିଏ ।
ଗୋଡ ତଳେ ବସି ଭୁଲ ମାଗୁ ତାଙ୍କୁ
ଧରି ଆମ ଦୁଇ କାନ,
ତାଙ୍କ ରାଗ ରୋଷ ଉଭେଇ ଯାଏଟି
ତୁଟେ ସବୁ ଅଭିମାନ ।
ସିଏ ଆମ ଜେଜେ ଘରର ମୁରବି
ସବୁକୁ ନିଅନ୍ତି ସହି,
ଅମାପ ସେନେହ ଶରଧା ତାଙ୍କର
ଆମ ବାଧା ନିଏ ଧୋଇ ।
ବଡ ବଡ ନିଶ ଆଖିରେ ଚଷମା
ଜେଜେଙ୍କ ଥନ୍ତଲା ପେଟ,
ଅଶୀ ବୟସେ ବି ହସରେ ଖୁସିରେ
ସହଜେ ଚାଲନ୍ତି ବାଟ ।
ପଢନ୍ତି ପୁରାଣ ଗୀତା ଭାଗବତ
ଗାଧୋଇ ସାରିବା ପରେ,
ନୀତିଶିକ୍ଷା କେତେ କହନ୍ତି ବୁଝାଇ
ମଜା ଗପ ମାଧ୍ୟମରେ ।
ଜେଜେମା କହନ୍ତି ତୁମ ଜେଜେ ପରା
ପରାଧୀନ ବେଳ ଲୋକ,
ତାଙ୍କ ଠାରେ ଦେଖୁ ଗାନ୍ଧୀ ଗୋପବନ୍ଧୁ
ନେତାଜୀଙ୍କ ନୀତି ଯାକ ।
ଆମ ଜେଜେ ପାଇଁ ଘରଟି ସତେକି
ଲାଗଇ ସରଗ ସମ
ସକଳେ ନମିବା ତାଙ୍କ ଚରଣରେ
ସେ ପରା ଦେବତା ଆମ ।
ଜନାର୍ଦ୍ଦନପୁର ଶାସନ
କେନ୍ଦୁଝର
୭୬୮୩୮୬୭୭୪୨

ଲେଖା ସମ୍ପର୍କୀୟ ମତାମତ
ପୌର୍ଣ୍ଣମାସୀ ଦେବୀ
05-07-2025 / 16:48:32
ଭଲ ଲାଗିଲା ଲେଖାଟି ।
ମୋହନ କୁମାର ସ୍ୱାଇଁ
04-07-2025 / 19:27:44
ଖୁବ୍ ସୁନ୍ଦର ଲାଗିଲା କବିତା ଟି
puhpnqegpt
04-07-2025 / 09:02:49
mdfowhnnoflgxiqnzytxxtjnkmvmyk
ହରି ପ୍ରିୟା ପଟ୍ଟନାୟକ
02-07-2025 / 22:44:27
ବହୁତ ଭଲ କବିତା ।
Minati pattnayak
02-07-2025 / 16:25:17
Bahut sundar lekha