କବିତା
ମେଘ ବଜାଏ ଡମ୍ବରୁ

ଏଇ ଦେଖୁ ଦେଖୁ
ଫେରିଗଲା ଜ୍ୟେଷ୍ଠ
ରହିଲାନି ଖରା ତାଉ
ଜ୍ୟେଷ୍ଠ ଗଲା ପରେ
ଆସିଛି ଆଷାଢ଼
ବଢ଼ାଇ ବର୍ଷାର ଭାଉ I
ଆକାଶେ ଭାସୁଛି
କେତେ ମେଘମାଳା
ତିଆରିକି ସେଠି ଘର
ମେଘ ଭସାଘର
ସୁନ୍ଦର ସୁଦୃଶ୍ୟ
ନଅର ମେଘରାଣୀର I
ମେଘ ଦିଶିଲାଣି
ଜ୍ୟେଷ୍ଠ ମାସଠାରୁ
ଡମ୍ବରୁ ବଜାଏ ମେଘ
ଆକାଶରୁ ଆସି
ଦୁଲୁକାଏ ଧରା
ଘଡ଼ଘଡ଼ି ଶୁଭି ଆଗ I
ଆଗ ଘଡ଼ଘଡ଼ି
ପଛକୁ ବିଜୁଳି
ଚମକ ଖେଳେ ନଭରେ
ଆକାଶଠୁ ମାଟି
ସବୁଠି ତା` ବ୍ୟାପ୍ତି
ଛନକା ପଶେ ଛାତିରେ I
ମେଘର ଡମ୍ବରୁ
ବାଜେ ଆକାଶରୁ
ହରଷେ ମାଟିକୁ ଛୁଏଁ
ଡମ୍ବରୁ ଶବଦ
ଡେଙ୍ଗୁରା ବୁଲାଇ
ମେଘର ବାରତା ଦିଏ I
ମେଘ ଡମ୍ବରୁର
ସଠିକ ବାରତା
ପାଇ ଚାଷୀ ହୁଏ ଖୁସି
ଘଡ଼ଘଡ଼ି ସାଥେ
ବିଜୁଳି ପ୍ରକଟେ
ବରଷା ଯାଏ ବରଷି I
ବଉଦରାଜ -762014, ଜି. ବୌଦ୍ଧ
ମୋ.9437478466
ଲେଖା ସମ୍ପର୍କୀୟ ମତାମତ
Mohan Kumar swain
04-07-2025 / 19:19:43
ଆଗରେ ବିଜୁଳି ପଛେ ଘଡଘଡି ହେବ କିନ୍ତୁ କବିତାଟି ଭଲ ଲାଗିଲା
ହରିପ୍ରିୟା ପଟ୍ଟନାୟକ
02-07-2025 / 22:42:41
କବିତା ଭଲ ହେଇଛି।କିନ୍ତୁ ଆଗ ବିଜୁଳି ପରେ ଘଡଘଡି ଶୁଣାଯାଏ।କାରଣ ଆଲୋକର ବେଗ ଶବ୍ଦର ବେଗ ଠାରୁ ଅଧିକ।