କବିତା
ଆମ ଓଡ଼ିଆର ଅସ୍ମିତା

ଆମ ଓଡ଼ିଆଙ୍କ ଅସ୍ମିତା ପ୍ରଭୁ କଳା ଠାକୁର
ସାରା ବିଶ୍ବ ତାଙ୍କୁ ପୂଜନ୍ତି ସେ ସଂସାରରେ ସାର ।
ସିଏ ସତ୍ୟ,ଶିବ, ସୁନ୍ଦର ସିଏ ସକଳ ଶକ୍ତି
ତାଙ୍କ ନାମ ଯିଏ ଧରିବ ସିଏ ପାଇବ ମୁକ୍ତି।
ସିଏ ପରା ଆମ ଜାତିର ପ୍ରଗତିର ସାରଥୀ
ତାଙ୍କ ବିନା ବାଟ ଚାଲିବା ଆଣିଥାଏ ଦୁର୍ଗତି।
କଳା ସାଆନ୍ତେ ମୋ ଏମିତି ଏକ ଦରଦୀ ବନ୍ଧୁ
ଭକ୍ତ ପାଇଁ ଲଙ୍ଘି ଆସନ୍ତି ସୁଖ ଦୁଃଖର ସିନ୍ଧୁ।
ଭକ୍ତ ପାଇଁ କଳା ଠାକୁର ଯୁଦ୍ଧ କରିତ ଥିଲେ
କଳା,ଧଳା ଘୋଡ଼ା ଚଢ଼ି ସେ ଭକ୍ତ ମାନ ରଖିଲେ।
ଭକ୍ତ ଦାସିଆର ନଡ଼ିଆ ପ୍ରଭୁ ଶ୍ରଦ୍ଧାରେ ନେଲେ
ଯୁଗ ଯୁଗ ପାଇଁ ଭକ୍ତକୁ ଅମର କରିଦେଲେ।
ପଖାଳରେ ଘିଅ ପଡ଼ିଲେ ପ୍ରଭୁ ମୋର ଖାଆନ୍ତି
ଗୀତ ଗୋବିନ୍ଦକୁ ଶୁଣିଲେ ସିଏ ନିଦେ ଯାଆନ୍ତି।
ସାଲବେଗ ଡାକ ଶୁଣିଲେ ନନ୍ଦିଘୋଷରେ ଥାଇ।
ରଥ ଅଟକିଲା ରହିଲେ ଭକ୍ତ ଆସିବା ପାଇଁ।
ବଳରାମ ଦାସ ଭକ୍ତିରେ ପ୍ରଭୁ ପ୍ରିତ ହୋଇଲେ
ଧାଇଗଲେ ବାଲିରଥକୁ ସାରା ବିଶ୍ଵ ଜାଣିଲେ।
ବନ୍ଧୁ ମହାନ୍ତିଙ୍କ ଦୁଃଖକୁ ପ୍ରଭୁ ଜାଣି ପାରିଲେ
ସୁବର୍ଣ୍ଣ ଥାଳିରେ ବ୍ଯଞ୍ଜନ ଦେଇ ମାନ ରଖିଲେ।
ବିଶ୍ଵ ନିଅନ୍ତାଙ୍କ ମହିମା ସରିବନି ଲେଖିଲେ
ତାଙ୍କରି ଇଚ୍ଛାରେ ଜାଣିଥା ଏଇ ଜଗତ ଚାଲେ।
ଓଡ଼ିଆ ଜାତିର ମଉଡମଣୀ କାଳିଆ ଧାନ
ତୁମ ନାମ ଧରି ପ୍ରଭୁ ହେ ଚାଲି ଯାଉ ଜୀବନ।
∎
ଅଞ୍ଜିରା, ପୁରୀ-୭୫୨୦୧୯
ଫୋନ-୯୯୩୭୧୯୮୮୭୮ ।

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 19:31:30
ଭଲ ଲାଗିଲା ଭକ୍ତିର କବିତା ଟି