ଗପ
ଏମିତି ପୁଅ ଜଗତେ ସାର

ମିଟୁ ବୋଉର ଦେହ ଭଲନାହିଁ । ମିଟୁ ହୋଲି ଖେଲିବାକୁ ଇଛା କଲାନି । ଦି ଚାରିଦିନ ତଳେ କୋହଲା ପାଗ ହେଇଥିଲା । ଝିପିଝିପି ମେଘ ବରଷୁଥିଲା । ଫଗୁଣ ମାସରେ ଏମିତି ପାଗ ହେବ ବୋଲି ସେ ଜାଣିନଥିଲା । ତଥାପି ତା ବୋଉ ପାଇଁ ଏମିତି ମେଘୁଆ ପାଗରେ ମେଡିସିନ ଦୋକାନରୁ ମେଡିସିନ ଆଣିଛି । କାଳେ ତାକୁ ଜ୍ଜର ହେଇଯିବ, ତେଣୁ ପଦାକୁ ବାହାରିଲାନି । କେବଳ ଝରକାବାଟେ ଦାଣ୍ଡ ଦୁଆରକୁ ଚାହିଁରହିଲା ପିଲାମାନଙ୍କର ରଙ୍ଗଖେଳକୁ ।
ମିଟୁ ଘରକୁ ତା ସାଙ୍ଗ ନଟ ଆସିଲା । କହିଲା - ଆ ଆ ସାଙ୍ଗ ଘର ବାହାରକୁ ଆ, ଆମେ ଦୁହେଁ ରଙ୍ଗ ବୋଳାବୋଳି ହେବା । ମଜା କରିବା । ମୁଁ ତୋ ପାଇଁ ଅବିର ଆଣିଛି ।
ନଟ ମୁଣ୍ଡ ଟୁଙ୍ଗାରି ମନାକଲା । ନା ମିଟୁ, ମୁଁ ବାହାରକୁ ଯିବିନି କି ହୋଲି ଖେଳିବିନି । ମୋର ଇଛା ହେଉନି । ତୁ ଯଦି ଖେଳିବୁ ଯା...ସାଙ୍ଗମାନଙ୍କ ମୁହଁରେ ରଙ୍ଗ ବୋଳିଦେବୁ । ମୋ ବୋଉର ଦେହ ଭଲ ନାହିଁ, ଖଟରେ ଶୋଇଛି ।
ନଟ ଟିକେ ରହିଯାଇ କହିଲା - ହଉ ହଉ, ମୁଁ ଟିକେ ମାଉସୀଙ୍କୁ ଦେଖିଦେବି । ଆଜି ହୋଲି ଖେଳ ନ ହେଉ, ଆର ବର୍ଷକୁ ଖେଳିବା ।
ନଟ ଘର ଭିତରକୁ ଯାଇ ମାଉସୀଙ୍କୁ ଦେଖିଲା । ମିଟୁର ବୋଉ ଘୋଡ଼େଇ ଶୋଇଛନ୍ତି । ନଟ ବହୁତ ପରୋପକାରୀ ପିଲାଟିଏ । ପାଖରେ ବସି ମୁଣ୍ଡ ଗୋଡ-ହାତ ଚିପିଦେଲା । ମୁଣ୍ଡରେ ଓଦାପଟି ଲଗେଇଦେଲା । ମାଉସୀଙ୍କ ମୋବାଇଲରୁ ନଟ ତା ବାପାଙ୍କୁ ଫୋନ କଲା । ତା ବାପା ଡାକ୍ତର । କିଛି ସମୟ ପରେ କାର୍ ଧରି ମିଟୁ ଘରେ ପହଞ୍ଚିଲେ ।
ମିଟୁ ମା`ର ଦେହ ପରୀକ୍ଷା କଲେ । ଦେହରେ ଜ୍ୱର ଅଛି । ଜିଭ ଶୁଖିଲା ଦିଶୁଛି । ଔଷଧ ଦେଲେ । ଆଶ୍ୱାସନା ଦେଇ କହିଲେ- ବର୍ତ୍ତମାନ ତୁମକୁ ଔଷଧ ଦେଉଛି । ମନେକରି ଖାଇଦେବେ । ବ୍ଲଡ ନେଉଛି । ଟେଷ୍ଟ ପରେ ଜଣାଇବି । ଭାବୁଛି ଭାଇରାଲ ଫିଭର । ଏ ବସନ୍ତ ଋତୁରେ ପାଗ ବଦଳେ । ଦିନବେଳା ଭୀଷଣ ଗରମ ହେତୁ ଥଣ୍ଡା ପାଣି ପିଇବାରେ ଟନସିଲ୍ ବଢିଯାଏ । ଜ୍ୱର ହୁଏ । ତିନି ଚାରିଦିନ ରହେ,ଦେହ ହାତ ଦୁର୍ବଳ ଲାଗେ । ବ୍ୟସ୍ତ ହୁଅନ୍ତୁନି । ଦୁଇ ଚାରିଦିନ ତଳେ ମେଘୁଆ ପାଗ ହେଇଥିଲା । ସବୁଆଡ଼େ ଲୋକମାନଙ୍କୁ ଜ୍ୱର କାଶ ହେଉଛି । ମିଟୁ ହୋଲି ଖେଳିବାକୁ ଯାଇନି, ଭଲ ହେଇଛି । ନଟ ମିଟୁ ସହ ହୋଲି ଖେଳିବ ବୋଲି ଘରୁ ପଳେଇଆସିଲା । ଯାହାହେଉ ସେ ମୋତେ ସଅଳ ସଅଳ ଖବର ଦେଇଦେଲା । କାହାର ଦେହ ଖରାପ ହେଲେ ନଟ ଚୁପଚାପ୍ ରହିପାରେନି । ସେବା କରିବାକୁ ଆଗେଇଆସେ । ନଟ ପାଖରେ ଅଛି, ଆଉ ଡରିବାର ନାହିଁ । ନଟର ବାପା ମିଟୁକୁ କହିଲେ - ତୁ ଠିକ୍ କରିଛୁ ପୁଅ । ତୋ ବୋଉ ପାଖରେ ଜଗିଛୁ। ହୋଲିଖେଳରେ ବାର୍ଣ୍ଣିସ୍ କି ମୁଣ୍ଡଫଟା ରଙ୍ଗ ନ ଖେଳି ବରଂ ଘରେ ବସିବା ଭଲ । ନଟଏଇଠି ଥାଉ । ମୁଁ ଯାଉଛି ଘରୁ ଖାଇବାପାଇଁ ନେଇଆସିବି । ଆସିଲାବେଳେ ନଟର ମାଆକୁ ସାଥିରେ ନେଇଆସିବି । କିଛି ସମୟ ଏଇଠି ରହି ଦେଖାଶୁଣା କରିବ । ଏହା କହି ମିଟୁର ବାପା ଘରକୁ ଗଲେ । ଗଲାବେଳକୁ ନଟକୁ କହିଲେ - ତୁ ମିଟୁର ବୋଉ ପାଖରେ ଥିବୁ । ମିଟୁ ତ ଅଛି । ଜରୁରୀ ହେଲେ ଫୋନ୍ କରିବୁ । ହଁ ଆଜି ବାହାରକୁ କେହି ଯିବନି କି ହୋଲି ଖେଳିବନି ।
ନଟର ବାପା ଘରକୁ ଗଲେ। ଘଣ୍ଟାଏ ପରେ ସମସ୍ତଙ୍କ ପାଇଁ ଖାଦ୍ୟ ଆଣିଦେଲେ । ନଟ ମା ବି ସାଥିରେ ଆସିଥିଲେ । ଦେଖିଲେ ମିଟୁ ବୋଉଙ୍କ ସହ ଦୁଇପଦ କଥାହେଲେ । ଜ୍ୱର କମିଛି । ଦୁର୍ବଳ ଓ ପାଟି ପିତା ପିତା ଲାଗୁଛି । ଖାଇବାକୁ ଇଛାହେଉନି । ବୁଝେଇ କହିଲେ ଖାଇବାକୁ । ବହୁତ କଷ୍ଟରେ ମିଟୁର ବୋଉ ଅଳ୍ପ ଖାଇଲେ । ତାପରେ ଔଷଧ ନେଲେ । ବ୍ଳଡ ରିପୋର୍ଟରୁ ଜଣାପଡିଲା ସବୁ ଠିକ୍ ଠାକ୍ ଅଛି । ଭାଇରାଲ ଫିଭର । ଡରିବାର ନାହିଁ । ଦୁଇ ସାଙ୍ଗ ମିଳିମଶି ଖାଇଲେ ।
ମିଟୁ ତା ସାଙ୍ଗ ନଟକୁ କହିଲା - ସତରେ ତୋ ସହ ସିନା ହୋଲି ଖେଳିଲିନି କିନ୍ତୁ ତୋ ବାପା-ମା`ଙ୍କର ସାହାଯ୍ୟକୁ ସବୁଵେଳେ ମନେରଖିଵି । ବିପଦବେଳରେ ସାହାଯ୍ୟ ହିଁ ପ୍ରକୃତ ସାହାଯ୍ୟ । ଦେହ ଅସୁସ୍ଥ ରହିଲେ ଖେଳରେ ମଜା ରହେନି ।
ମିଟୁର ବୋଉ ଖୁସିରେ ନଟର ପିଠିକୁ ଥାପୁଡ଼ାଇ କହିଲେ - ଏଡେ ବକଟେ ପିଲା ହେଇ ବି ସଵୁ ବୁଝିପାରୁଛୁ । ତୁ ବି ମୋର ପୁଅ ।
ମିଟୁର ବୋଉ ଦୁହିଁଙ୍କୁ ଗେଲକରି କହିଲେ - ତୁମେ ଦୁହେଁ ଆର ବରଷକୁ ବୁଲିବ । ଫଗୁ ରଙ୍ଗ ଧରି ସାଙ୍ଗମାନଙ୍କ ଦେହରେ ବୋଳିଦେବ । ଯାଅ , ଫ୍ରିଜ ଖୋଲି ଖୁସିରେମିଠା ଖାଇଦିଅ । ମୁଁ ଭଲହେଇଯିବି ।
ନଟର ମା ମିଟୁକୁ ଗେଲ କରିଦେଲେ । ସତରେ ତୋ ଭଳି ପୁଅଟିଏ ଏ ଜଗତରେ ସାର । ଆଜି ଏ ପର୍ବରେ ହୋଲି ନ ଖେଳି ନିଜ ବୋଉ ପାଖେ ପାଖେ ଅଛୁ, ଭଲ କରିଛୁ ।
∎
ଭୁବନେଶ୍ବର, ଫୋନ - ୭୦୦୮୧ ୪୨୦୪୦

ଲେଖା ସମ୍ପର୍କୀୟ ମତାମତ
Bijayakumarswain458@gmail.com
02-04-2024 / 22:49:54
A good writing /information especially for the students.
Jayakrushna Sahu
02-04-2024 / 16:16:13
ଉପଦେଶ ଛଳରେ ଗାଳ୍ପିକ ଯାହା କହିଛନ୍ତି। ଭଲ ଲାଗିଲା। ଧନ୍ୟବାଦ୍।
Kunja Bihari Sahu
02-04-2024 / 11:23:45
good efforts all writings are read worthy
Dinabandhu kar
02-04-2024 / 10:50:18
EXCELLENT