କବିତା
ଉଡା ଜାହାଜରେ ଯିବି

ସ୍କୁଲରୁ ଫେରି ମାଆଙ୍କୁ କହିଲା
ଅତି ଶରଧାରେ ମିଲି ।
ମିସ୍ ଦେଇଛନ୍ତି ରଚନା ଗୋଟିଏ
ଲେଖିକି ଆଣିବ କାଲି ॥
ରଚନାଟି ହେଲା ଗାନ୍ଧୀଙ୍କ ଜୀବନୀ
ଯାହାର ସୁନ୍ଦର ହେବ ।
ଭାରତର ରାଜଧାନୀ ସେ ବୁଲିବ
ଉଡାଜାହାଜ ରେ ଯିବ ॥
ଉଡାଜାହାଜର କଥା ଶୁଣି ଦେଇ
ମାଆ ହେଲେ ତାର ଖୁସି ।
ସବୁକାମ ସାରି ମିଲି ପାଇଁ ସିଏ
ରଚନା ଲେଖିଲେ ବସି ॥
ଘଣ୍ଟା ଘଣ୍ଟା ଧରି ଗାନ୍ଧୀଙ୍କୁ ଭାବିଲେ
କିଛି ଲେଖି ହେଲା ନାହିଁ ।
ଦି ଚାରିଟା ଧାଡି ଲେଖୁ ଲେଖୁ ସିଏ
ରାତି ଗଲା ଏଣେ ପାହି ॥
ବିଛଣାରୁ ଉଠି ମିଲି ତ ଖୋଜିଲା
ରଚନାଟା ମାଆ କାହିଁ?
ଲାଜରେ କହିଲେ ଗାନ୍ଧୀଙ୍କ ବିଷୟ
ମୋତେ କିଛି ଜଣା ନାହିଁ ॥
ଗାନ୍ଧୀଙ୍କ ଜୀବନୀ ଜାଣି ନୁ ମାଆତୁ
କାନ୍ଦି କାନ୍ଦି କହେ ମିଲି ।
ରଚନା ଲେଖିବା ନୋହିଲା ମୋହର
ଯାଇ ପାରିବିନି ଦିଲ୍ଲୀ ॥
ମିଲି କାନ୍ଦ ଦେଖି ମାଆ ଦୁଃଖ କଲେ
ନିଜକୁ କରିଲେ ଦାୟୀ ।
ଏଣିକି ପଢିବେ ମହାପୁରୁଷଙ୍କ
ଜୀବନୀ ଉପରେ ବହି।
∎
ରାଧାକୃଷ୍ଣ ନଗର ,ଭୁବନେଶ୍ୱର।

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
02-04-2024 / 20:56:10
କବିତାଟି ଶିକ୍ଷଣୀୟ ହୋଇଛି।ଭଲ ଲାଗିଲା। ଧନ୍ୟବାଦ୍ ମାମ୍।
କୁଞ୍ଜବିହାରୀ ସାହୁ
02-04-2024 / 13:32:46
ମିଲିର ମନକଥା.... ସେହିଦିନଠାରୁ ମହାପୁରୁଷଙ୍କ କାହାଣୀ ଶୁଣିଲା ମିଲି, ଉଡାଜାହାଜରେ ବସିକି ଗଲା ସେ ଦେଖିବାକୁ ଥରେ ଦିଲ୍ଲୀ । ଏମିତିକା ପଦ ଯୋଡିଥିଲେ ଭଲ ଲାଗିଥାନ୍ତା