କବିତା
ପିଲାଦିନ ସ୍ମୃତିଚିହ୍ନ

ନଥାଏ ମନେ ଚିନ୍ତାକି ଦକ
ଖେଳରେ ବିତେ ଦିନ
ସବୁଠୁ ଭଲ ପିଲାଦିନତ
ଆଜି ସ୍ମୃତିର ଚିହ୍ନ ।
ପିଲାଦିନର ଅଭୁଲା ଛବି
ଭୁଲି ହୁଏନି ମନୁ
ଥିଲା ଓଠରେ ହସର ମହୁ
ସୁନ୍ଦର ସେଇ ତନୁ ।
ବାଲି ଧୂଳିରେ ତିଆରି ଘର
ମିଛି ମିଛିକା ଖେଳ
ହସ ଖୁସିରେ ସକାଳ ସଞ୍ଜ
କଟୁଥିଲାତ ବେଳ ।
ପାଠ ପଢିବା ଆକଟ କେବେ
ନଥିଲା ପିଲାବେଳେ
କାଗଜଡ଼ଙ୍ଗା ଭସାଉଥିଲୁ
ସାଥୀ ପିଲାଙ୍କ ମେଳେ ।
ଜଣେତ ହୁଏ ଗାଆଁଦାଣ୍ଡରେ
ମିଛି ମିଛିକା ରାଜା
ସାଥୀପିଲାତ ମିଳି ମିଶିକି
ବଜାନ୍ତି ବସି ବାଜା ।
ଆଉଜଣେତ ହୁଅଇ ରଣୀ
ମନକୁ ନିଏ କିଣି
ପିଲାଦିନର ଅଭୁଲା ଖେଳ
ମରମ ଯାଏ ଜିଣି ।
ଆକଟ ଛାଟ ବିନାଦଣ୍ଡରେ
ପିଲାଦିନତ କଟେ
ଅଭୁଲା ଯେତେ ଘଟଣା ସବୁ
ପିଲାଦିନରେ ଘଟେ ।
ପିଲାଦିନକୁ ଖୋଜିଲେ ଯେତେ
ମିଳଇନାହିଁ ସିଏ
ମନେପଡିଲେ ମନମରମେ
ଖାଲିସେ ଦୁଃଖଦିଏ ।
∎
କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
Mobile -9668822190

ଲେଖା ସମ୍ପର୍କୀୟ ମତାମତ