ଗପ
ଥର୍ମୋମିଟର

ଦିନେ ନିକିତା ସ୍କୁଲରୁ ଫେରିଲା। ମୁହଁ ନାଲି, ଆଖି ଦୁଇଟା ମୁଦି ହୋଇପଡ଼ୁଛି।
ଘରେ ପହଞ୍ଚୁ ପହଞ୍ଚୁ ସେ ବୋଉଙ୍କୁ ଡାକ ଛାଡ଼ଲା। ବୋଉ ଜାଣିପାରିଲେ ଯେ ନିକିତାକୁ ଜ୍ଵର ହେଇଛି। ସାଙ୍ଗେ ସାଙ୍ଗେ ଝିଅକୁ ଶୁଆଇ ପକାଇ ସେ ଚଦର ଘୋଡ଼େଇ ଦେଲେ। ଥର୍ମୋମିଟର ଆଣି ଜିଭ ତଳେ ଦେଇ ଦୁଇମିନିଟ୍ ଅପେକ୍ଷା କଲେ। ତା`ପରେ କାଢ଼ି ଦେଖିଲେ ଯେ ନିକିତା ଦେହର ଉତ୍ତାପ ୧୦୪ ଡିଗ୍ରି ଫାରେନ୍ହିଟ୍। ହେ, ଭଗବାନ୍ । ଡରିଗଲେ ନିକିତାର ମା`। ସାଙ୍ଗେ ସାଇ ଡାକ୍ତର ଡକାହୋଇ ଆସିଲେ।
ଚିକିତ୍ସା ଚାଲିଲା। ତିନିଟା ଦିନରେ ନିକିତାର ଜ୍ଵର ଛାଡ଼ିଗଲା। ସେ ପୂର୍ବଭଳି ଖେଳାବୁଲା କଲା, ସ୍କୁଲ୍ ଗଲା । ଡାକ୍ତର ବାବୁଙ୍କୁ ନିକିତାର ମା` ଓ ବାପା ଧନ୍ୟବାଦ ଦେଲେ। ହେଲେ ମତେ ନା ନିକିତା ଧନ୍ୟବାଦ ଦେଲା ନା ତା` ବାପା ମା” । ଏପରିକି ଡାକ୍ତରବାବୁ ବି ମତେ `ଥ୍ୟାଙ୍କ ୟୁ` କହିଲେ ନାହିଁ ।
ଏବେ ମୁଁ କିଏ ଜାଣିଲ ତ! ମୁଁ ହେଉଛି ଥର୍ମୋମିଟର । ଦେହର ଉତ୍ତାପ ମାପି ମୁଁ ଜଣେଇଦିଏ- ତୁମ ଦେହ ସୁସ୍ଥ ଅଛି ନା ଅସୁସ୍ଥ ଅଛି।
ଏଇଟା ସାଧାରଣ କଥା ଯେ ଜଣେ ମଣଷ ଦେହର ସ୍ବାଭାବିକ ଉତ୍ତାପ ହେଉଛି ପାଖାପାଖି ୯ ୮.୪ ଫାରେନ୍ହିଟ୍ । ଏଥିରୁ ଅଧିକ ଉତ୍ତାପ ଦେହରେ ସୃଷ୍ଟ ହେଲେ ଜ୍ଵର ହୋଇଛି ବୋଲି ବୁଝାଯିବ। ଉତ୍ତାପ କମିଲେ ଶରୀର ସନ୍ନିପାତ ଆଡ଼କୁ ଯାଉଛି ବୋଲି ଗ୍ରହଣ କରିବାକୁ ପଡ଼ିବ । ତେବେ ଜିଭ ତଳର ସ୍ଵାଭାବିକ ଉତ୍ତାପ କାଖତଳର ଉତ୍ତାପଠାରୁ ଟିକେ ଅଧିକ ରହେ। ଏ କଥା ବି ଜାଣିବା ଦରକାର।
ମୁଁ ସେ ଦିନ ନିକିତା ଘରେ ଥିଲି ବୋଲି ସିନା ତା`ର ମା` ଜ୍ଵରର ଭୟାବହତା ଜାଣିପାରି ଲେ । ଡାକ୍ତର ସେଇ ଅନୁସାରେ ଔଷଧ ଦେଲେ । ମୁଁ ଯଦି ନ ଥାନ୍ତି ?
ଆଜିକାଲିର ଡାକ୍ତରୀ ଚିକିତ୍ସାରେ ମୋର ଗୋଟାଏ ବଡ଼ ଆବଶ୍ୟକତା ଅଛି। ସେଥିପାଇଁ ମୋ ମନରେ ଅନେକ ଗର୍ବ ଓ ଆନନ୍ଦ।
ମୋର ପ୍ରଧାନ କାମ ହେଲା ଉତ୍ତାପ ମାପିବା । ଗ୍ରୀକ୍ ଶବ୍ଦ `ଥର୍ମୋସ୍`ର ଅର୍ଥ ହେଲା “ଉତ୍ତାପ` ଓ ମିଟର ହେଲା ମାପିବା ଯନ୍ତ୍ର” । ଅତଏବ ମୋ ନାମର ଅର୍ଥ ହେଲା ଉତ୍ତାପମାପିବା ଯନ୍ତ୍ର । ମୋ ଦେହରେ ଦୁଇଟି ପ୍ରଧାନ ଅଂଶ ରହିଛି । ଗୋଟିଏ ଥମୋ-ସେନସର୍ ବା ଉତ୍ତାପ ଅନୁଭବକକେନ୍ଦ୍ର ଏବଂ ଅନ୍ୟଟି ଉତ୍ତାପ ଅନୁଭବକୁ ନଳୀରେ ଥିବା ତରଳପଦାର୍ଥ ଦେଇ ସଂଖ୍ୟାରେ ଦେଖାଉଥିବା ମାପଦଣ୍ଡ। ତେଣୁ ମୋର ଚେହେରା ପ୍ରାୟତଃ ଗୋଟିଏ କାଠି ଭଳି । ଏହି ତରଳ ପଦାର୍ଥ କେତେବେଳେ ପାଣି ତ କେତେବେଳେ ପାରଦ, ପୁଣି କେତେବେଳେ ଆଲ୍କୋହଲ୍ ବା ମଦ।
ପ୍ରଥମେ ପାଣିକୁ ଆଧାର କରି ଗାଲିଲିଓ ମତେ ୧୫୯ ୩ରେ ଉଦ୍ଭାବନ କରିଥିଲେ। ତା`ପରେ ସାନ୍ତୋରିଓ-ସାନ୍ତୋରିଓ ୧୬୧ ୨ରେ ସଂଖ୍ଯା ଦେଇ ମତେ ଗଢ଼ିଲେ ଓ ଦେଖେଇଦେଲେ ଯେ ଉତ୍ତାପକୁ ସଂଖ୍ୟାରେ ମାପିହେବ।। କନ୍ତୁ ଡାନିଏଲ୍ ଗ୍ରାବିଏଲ୍ ଫାରେନ୍ହିଟ୍ ୧୭୦୯ରେ ପ୍ରଥମେ ଆଲ୍କୋହଲ୍ ଦେଇ ଓ ୧୭୧୪ରେ ପାରଦ ଦେଇ ମତେ ତିଆରି କଲେ। ୧୭୨୪ ବେଳକୁ ମୁଁ ଆଧୁନିକ ରୂପ ନେଇ ବିଶ୍ଵବାସୀଙ୍ଗ ଆଗରେ ଠିଆ ହୋଇଗଲି। ଶେଷକୁ ୧୮୪୮ରେ ଲର୍ଡ କେଲ୍ଭିନ୍ ମତେ ଏପରି ତିଆରି କଲେ ଯେ ମୁଁ ଉତ୍ତାପର ଶେଷ ସୀମା ଓ ଥଣ୍ଡାର ଶେଷ ସୀମା ବି ମାପ ଦେଇପାରିଲି।
ହେଲେ ସାଧାରଣ ବ୍ୟବହାର ପାଇଁ ମୋର ଏ ରୂପ ଫାରେନ୍ହିଟ୍ଙ୍କ ପାଖରେ ସବୁଦିନେ ରଣୀ ରହିବ।
ସେ ଯାହାହେଉ ଜ୍ଵର ହେଲେ ତୁମେମାନେ କିନ୍ତୁ ମତେ ଡାକିବାକୁ ମୋଟେ ଭୁଲିବନାହିଁ । ଆଜିକାଲି ମୋର ଏକ ଡିଜିଟାଲ୍ ରୂପ ବି ମିଳିଲାଣି।
∎

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
07-10-2024 / 20:57:59
ଗପ ମାଧ୍ୟମରେ ଥର୍ମୋମିଟର ସଂପର୍କରେ ସୁନ୍ଦର ଉପସ୍ଥାପନା।
ବୃନ୍ଦାବନ କୁମ୍ଭାର
04-10-2024 / 19:21:23
ଅତି ସୁନ୍ଦର
ଲକ୍ଷ୍ମୀକାନ୍ତ ଦଳେଇ
01-10-2024 / 09:39:13
ବହୁତ ସୁନ୍ଦର ଓ ଶିକ୍ଷଣୀୟ କାହାଣୀ