କବିତା
ଟିକି ଟିକି କାମ

ସକାଳ ପାହିଲେ ଉଇଁ ସୂରୁଯ ଟି
ବୁଣଇ ମୁରୁଜ ନାଲି,
ଟିକି କଳିକା ଟି, ଆଖି ମେଲି ଚାହେଁ
କିରଣ ପାଇବ ବୋଲି।
ଟିକି ଚଢେଇ ଟି ଆହାର ପାଇଁ କି
ଡେଣା ଝାଡି ଉଡ଼ି ଯାଏ,
ନୁହେଁ ସ୍ଥିର କେବେ ଶୀତଳ ସମୀର
ଅବିରତ ବହୁ ଥାଏ ।
ଟିକି ଜଳ ବିନ୍ଦୁ ,ବାଷ୍ପ ପାଲଟି
ବରଷିଲେ ହୁଏ ନଈ,
ଟିକି ପିମ୍ପୁଡ଼ି ଟି,ଖୁଦକଣା ଧରି
ଚାଲେ ଗାତ ମୁଁହା ହୋଇ।
ଟିକି ମହୁମାଛି ମହୁ ଟୋପେ ପାଇଁ
ଏ` ଫୁଲୁ ସେ ଫୁଲେ ଉଡ଼େ,
ଏତେ ଟିକେ ଉଇ,ଦିନ ରାତି ଲାଗ
ବିରାଟ ହୁଙ୍କା ଟି ଗଢେ।
ଟିକି ଦୀପ ଟିଏ ଜଳୁ ଥାଏ ଯେବେ
ଅନ୍ଧାର ଦୂରେଇ ଯାଏ,
ଟିକି ଫୁଲ ଟିଏ ଫୁଟି ହସି ବାସି
ଦିଗ ମହକାଇ ଦିଏ।
ଟିକି ବୋଲି କେବେ,ଭାବନା ନିଜକୁ
କାମରେ ସଦା ଦିଅ ମନ,
ଭଲ ପିଲା ହୋଇ କାମ କରି ଗଲେ
ପାଇବ ନିଶ୍ଚେ ସୁନାମ।

ଲେଖା ସମ୍ପର୍କୀୟ ମତାମତ
ତପନ କୁମାର ସ୍ବାଇଁ
01-02-2024 / 14:52:17
କାମରେ ସଦା ଦିଅ ମନ , ଅକ୍ଷର ସଂଖ୍ୟା ୯ହୋଇଗଲା ।ତେଣୁ ପଦଟି ଟିକେ ଅଡ଼ୁଆ ଲାଗିଲା। କବିତା ଟି ଭଲ ହୋଇଛି।