କବିତା
ଆ`ଲୋ ଵଉଳ ନଈକୁ ଯିବା

ଚଉରାରେ ବୋଉ ଦୀପ ଜାଳିଲାଣି
ଫେରିଲେଣି ଗାଈଗୋଠ
ସଞ୍ଜ ଆସିଲାଣି ବଉଳ ଲୋ ଯିବା
ନଈକୁ ନକରି ମଠ ।
ମନ୍ଦିରରେ ନନା ଆଳତୀ କଲେଣି
ସୁରୁଜ ବୁଡ଼ିବା ଦେଖି
ଦୂର ବିଦେଶକୁ ବାପାଙ୍କ ପାଖକୁ
ଅପା ବସେ ଚିଠି ଲେଖି ।
ଝାଡିଲାଣି ପର ଗେଣ୍ଡାଳିଆ ତାର
ବିଲୁଆ ଦେଲାଣି ରଡି
ଗଛରୁ ପତର ଖସିତ ପଡୁଛି
ଅନ୍ଧାର ଆସୁଛି ମାଡି ।
ମୁହଁ ସଞ୍ଜ ହେଲା ପକ୍ଷୀ ଲେଉଟିଲା
ଚରା ବୁଲା ତାର ସାରି
ବାଟୋଇ ଚାହିଁଛି ଫେରିଲେ ନଉକା
ହେବ ସିଏ ନଈ ପାରି ।
ସପନା ସାରିକି କ୍ଷେତର ପାଇଟି
ଘରକୁ ଫେରିଲା ତାର
ଝିଅତ ରହିଚି ଶାଶୂଘରେ ଯାଇ
ବୋଉ ଢାଳେ ଲୁହଧାର ।
ଗରିବ ଶ୍ରମିକ ତଡିଵାକୁ ଦୁଃଖ
ସହରେ କରୁଛି କାମ
ଅନ୍ଧାରକୁ ଡରି ବୋଉକୋଳେ ଯାଇ
ବସିପଡେ କୁନା ଆମ ।
ଗଉରୀ କହିଲା ଦେଏଖେ ବଉଳ
ସଞ୍ଜ ଆସିଲାଣି ନଇଁ
ଆସୁଛି ଅନ୍ଧାର ସଅଳ ଯିଵାଲୋ
ଗାଆଁଠୁ ଦୂରରେ ନଈ ।
∎
କୁଞ୍ଜର ସଙ୍ଗଳାଇ
ପିପିଲି ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ଡ. ବିଜୟା ପାତ୍ର
21-12-2024 / 16:12:51
ଭଲ ଲାଗିଲା। ଧନ୍ଯବାଦ।