କବିତା
ହେ ନୂଆଵରଷ

ଆସିଥିଲା ଫେରିଗଲା ଦୁନିଆରୁ
ପୁରୁଣା ଵରଷ ଆଜି
ହେ ନୂଆଵରଷ ସୁଖ ଘେନିଆସ
ଉପକାରୀ ମିତ ସାଜି ||
ରାତି ପାହୁ ପାହୁ ହସି ଢାଳିଦେଉ
ସୂରୁଜ କଅଁଳ ଖରା
କେତେ ଫୁଲ ଫଳ ସବୁଜ ପତର
ଗଚ୍ଛେ ହେଇଯାଉ ଭରା ||
ପିଲାଙ୍କ ମନରେ ଭରୁ ନୂଆଆଶା
ପୂରିଉଠୁ ହସ ଖୁସୀ
ଦୁଃଖରେ ଲୁହରେ ନଶୁଖୁ କାମୁହଁ
କିଏ ସେ ନଯାଉ ରୁଷି ||
ଝୁଲି ଝୁଲି ବୁଲି ଖେଳି ନାଚି ଗାଇ
ପିଲାଏ କାଟିବେ ବେଳ
ଗୁହାରି କରିବେ ଜଗତସାଇଁଙ୍କୁ
ହେଇ ସାଙ୍ଗ ସାଥୀ ମେଳ ||
ପିଲାଏ କରିବେ ନୂଆବରଷରେ
ମିଳିମିଶି ବଣଭୋଜି
ଖେଳି ଗଛେ ଦୋଳି ଖାଇବେତ କୋଳି
କୁନା ମୁନା ଝୁନା ରୋଜି ||
ସରସ ସୁନ୍ଦର ପିଲାଙ୍କ ଜୀଵନ
କୁସୁମ ମହକି ଯାଉ
ରାଗ ରୋଷ କଳି ମାନ ଅଭିମାନ
ପାଖରେ ନରହୁ ଆଉ ||
ହେ ନୂଆଵରଷ ଆଣିକି ହରଷ
ଆମ ଦୁନିଆକୁ ଆସ
ହେଉ ସୁନା କ୍ଷେତେ ଚାଷୀ ହାତଲାଗି
ସୁନାର ଫସଲ ଚାଷ ||
କୁଞ୍ଜର -ସଙ୍ଗଳାଇ
ପିପିଲି -ପୁରୀ
ମୋବାଇଲ -୯୬୬୮୮୨୨୧୯୦

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
12-01-2026 / 18:39:56
ଅତି ସୁନ୍ଦର କବିତା।
ହରିପ୍ରିୟା ପଟ୍ଟନାୟକ
04-01-2026 / 23:21:18
ପ୍ରଶାନ୍ତ ବାବୁଙ୍କ ସବୁ କବିତା ପରି ଏ କବିତା ମଧ୍ୟ ସୁନ୍ଦର ହେଇଛି।
ନିରଞ୍ଜନ ସାହୁ, ନଦୁଆଁ କେନ୍ଦୁଝର
03-01-2026 / 19:57:07
ଖୁବ୍ ସୁନ୍ଦର ହୋଇଛି।