Skip to content
ଶିଶୁ କିଶୋର

କବିତା

ଦେଖରେ ଦେଖ ମୁଁ କିଏ

ଦେଖରେ ଦେଖ ମୁଁ କିଏ

ଇଏ ମୋର ବାୟାବସା
ଦେଇଛି ମୁଁ ନିଜେ ବୁଣି
ଯୁଆଡ଼େ ଗଲେ ବି ଯେତେ ବୁଲିଲେ ବି
ଫେରେ ଏଇଠିକି ପୁଣି ।।

ଏଇ ମୋର ବସା ପାଖେ
ଦେଖେ ଛୋଟ ଗୋଟେ ନଈ
ବରଷାରେ ସିଏ ବୁଡ଼ାଏ ଭସାଏ
ବେଗେ ଯାଉଥାଏ ବହି ।।

ଦେଖେ ପୁଣି ଶରତରେ
ଧୋବ କାଶଫୁଲ ହାଟ
ଭରା ଫଗୁଣରେ ପଳାସ ଫୁଲରେ
ଶୋଭା ପାଉଥିବା ପାଟ ।।

ଆହୁରି ଦେଖେ ମୁଁ ଗୁଡ଼ି
ଆସୁଥାଏ ଖସି ଖସି
ଦେଖେ ନଈଘାଟେ ଏକାକୀ ବଗଟେ
ମାଛ ଖାଉଥାଏ ବସି ।।

ଦେଖେ ଚରୁଥାନ୍ତି ଗାଈ
ବିଲ ପଡ଼ିଆରେ ଘାସ
ଧାନ ମୁଗ ବିରି ଫସଲ କିଆରୀ
ଦେଖୁଥାଏ ବାରମାସ ।।

ଝୁଲୁଥାଏ ମୋର ବସା
ଦେଲେ ସୁଲୁସୁଲୁ ବାଆ
ଥାଏ ମୁଁ ଏଇଠି ମୋ ବସାଘରଠି
ମୋ ସାଥେ ଥାଏ ମୋ ମାଆ ।।

ଲୋକଙ୍କ ଆସିବାଯିବା
ଦେଖେ ମୁଁ ବସାରେ ଥାଇ
ଗଡ଼ୁଥାଏ ବେଳ ଦେଖୁଥାଏ ଖେଳ
ଖେଳୁଥାନ୍ତି ଖରା ଛାଇ ।।

ଏଇ ମୋର ବସାଘର
ଦେଖ ନ ଦେଖିଛ ଯିଏ
ଏ ଯେ ବସାଘର ବାୟାଚଢ଼େଇର
ଦେଖରେ ଦେଖ ମୁଁ କିଏ ।।
∎ ନିର୍ମାଲ୍ୟ
ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. – ୯୮୬୧୨୧୧୦୫୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମଇ:୨୦୨୪ , ପ୍ରଥମ ବର୍ଷ : ପଞ୍ଚମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Dinabandhu Poi

03-05-2024 / 03:54:39

ସବୁକଥା ଭରପୁର, ଭାରି ଭଲ ଲାଗଲା, ବାୟାବସା ,ନମସ୍ତେ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion