ଗପ
କଣ ସାଙ୍ଗ! ଏଥର ଖୁସିତ?

ରଵିବାର ଛୁଟିଦିନ।ସକାଳୁ ସକାଳୁ ମାମୁନି ପ୍ରଜାପତି ପଛରେ ଧାଉଁଥାଏ। କୁନି କୁନି ଡେଣା ହଲାଇ ଛିଟା ପ୍ରଜାପତିଟି ଫୁଲରୁ ଫୁଲକୁ ଉଡି ଯାଉ ଥାଏ। ତାପଛରେ ଧାଇଁ ଧାଇଁ ମାମୁନି ତାଙ୍କ ଵଗିଚା ର କଣ ମୁଣ୍ଡରେ ପହଞ୍ଚି ଗଲା। ଆଗରେ ବଗିଚା ଘର। କାହାର ଟୁପୁ ଟୁପୁ କଥା ତାକୁ ଶୁଣାଗଲା। ସିଏ ଚାରିଆଡକୁ ଚାହିଁ ଚାହିଁ ଚୁପ୍ ଚୁପ୍ ଆଗକୁ ଚାଲିଲା। ଶୁଣିଲା - ଟଣ୍ ଟଣ୍ କରି ଫୁଟା ବାଲ୍ ଟିଟା କହୁଛି -" ମୋର ମନ ଭାରି ଦୁଃଖ `
ପାଖରେ ଥିଵା ପାଣି ଟ୍ୟାପ ଟି ପଚାରିଲା -" କାହିଁକି? କଣ ହେଲା ତୋର?
ବାଲ୍ ଟି କହିଲା-" ଭଲ ଥିଲାବେଳେ ମୋତେ ସମସ୍ତେ ଆଦର କରୁଥିଲେ । ମୋ ଭିତରେ ପାଣି ଭରି ଗଛ ମୂଳରେ ଢାଳୁଥିଲେ। ଗଛଲତା ବଢ଼ି ଫୁଲଫଳ ରେ ଭର୍ତ୍ତି ହୋଇଗଲେ,- ସମସ୍ତେ ଖୁସି ହେଉଥିଲେ। ସମସ୍ତଙ୍କ ଖୁସି ଦେଖି ମୁଁ ବି ଖୁସି ଥିଲି।`
ବାଲ୍ ଟି ର କଥା ନ ସରୁଣୁ ପାଣି ଟ୍ୟାପ କହିଲା-" ଏଇଟାତ ବହୁତ ଭଲ କଥା। ଏଥିରେ ତୋର ମନ ଦୁଃଖ ହେଲାକାହିକି?`
ବାଲଟି କହିଲା-" ବୁଝିଲୁ ସାଙ୍ଗ! ମୋ ଦେହରେ ଠାଏ ଠାଏ ଫୁଟି କଣା ହୋଇ ଗଲାଣି। ପାଣି ରହୁନାହିଁ। ବୋହିଯାଉଛି। ସେଥିପାଇଁ ମାଲିକ କହୁଛନ୍ତି - ମୋତେ କବାଡ଼ି ବାଲାକୁ ବିକି ଦେବେ।`
ମୁହଁ ଶୁଖାଇ ପାଣି ଟ୍ୟାପ କହିଲା-" ହଁ ରେ ସାଙ୍ଗ!କଣା,ଫୁଟା, ଭଙ୍ଗା ହେଲେ- କେହି କଣ ଆଉ ପଚାରିବ ନା- ଆଦର କରିବା? ଅଦରକାରୀ ଜିନିଷ କୁ କିଏ କାହିଁକି ସାଇତି ରଖିବ କହିଲୁ?`
ଵାଲଟି ଓପାଣିଟ୍ଯାପ୍ ର ସବୁକଥା ଶୁଣିସାରି ମାମୁନି ଘରକୁ ଫେରି ଗଲା। ଦିନ ସାରା ତାର ଖାଲି ବାଲଟି କଥା ମନେ ପଡୁଥାଏ। ରାତିରେ ଶୋଇ ଶୋଇ ଭବିଲା- ବଡ଼ କାବା କଥା! ବାଲ୍ ଟି ଆଉ ପାଣିଟ୍ଯାପ୍ ର ତ ଜୀବନ ନାହିଁ। ଏମାନଙ୍କୁ କଷ୍ଟ ହେଉଛି କିପର? ପୁଣି ମନଦୁଃଖ କରୁଛନ୍ତି?`
ମନେ ପଡିଲା ତାର। ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ରେ ରହୁଥିବା ତାର ବଡ଼ ମାମୁଁ ଥରେ କହୁଥିଲେ-" ଜଡ ପଦାର୍ଥ ର ସିନା ଜୀବନ ନାହିଁ - ହେଲେ ସେମାନଙ୍କର ସଚେତନତା ରହିଛି।`
ମାମୁନି ଭାଵିଲା- ହେଇଥିବ। ହେଲେ ଫୁଟାବାଲ୍ ଟି ଟି ପାଇଁ ତାକୁ କିଛି ଗୋଟାଏ କରିବାକୁ ପଡିବ।
ସ୍ଥିରକଲା - ସେଥିରେ ମାଟିଖତ ପୁରାଇ ଫୁଲ ଗଛ ଲଗାଇଦେବ।
ତାପରଦିନ ମାମୁନି ସେଇଆ କଲା।ମାଟି,ଗତ, ଓ କିଛି ପରିବା ଚୋପା ଵାଲ୍ ଟି ରେରଖିଦେଲା। ଭାବି ହେଉଥାଏ। କି ଗଛ ଲଗେଇବ?
ଦିନେଦେଖିଲା- ପଡ଼ିଶା ଘର ବୀରେନ୍ଦ୍ର ମଉସା ତାଙ୍କ ମଲ୍ଲୀ ବୁଦାରୁ କିଛି ଡାଳ କାଟି ଫିଙ୍ଗିବାକୁ ନେଉଛନ୍ତି। ମାମୁନି ଜାଣିଥିଲା - ମଲ୍ଲୀ ଡାଳରୁ ଗଛ ହୁଏ ବୋଲି। ସେ ମଉସା ଙ୍କ ଠାରୁ ତିନି ଚାରିଟି ମୋଟାଗଣ୍ଠିଥିବା ଡାଳ ଆଣି ବାଲଟି ରେ ପୋତିଦେଲା। ନିୟମି ସେଥିରେ ପାଣି ଦିଏ। ଶୁଖିଲା ପତ୍ର ଓ ଘାସ ସଫା କରି ଗଛର ଯତ୍ନ ନିଏ।
ତିନି ଚାରିମାସ ଗଲା। ଗଛ ବଢ଼ି ସେଥିରେ ନେନ୍ଥି ନେନ୍ଥି ହୋଇକଢ ଭର୍ତ୍ତି ହୋଇଗଲା। ମାମୁନି ର ଖୁସି କହିଲେ ନସରେ। ମଲ୍ଲୀଫୁଲ ଫୁଟିବା ଆରମ୍ଭ ହେଲା। ମଲ୍ଲୀର ମହକ ଖେଳେଇ ହୋଇଗଲା ଚାରିଆଡ଼େ। ବାସନାଶୁଙ୍ଘି ଶୁଙ୍ଘି ଦିନେ ବାପା ତାର ଵଗିଚା କଣ ମୁଣ୍ଡରେ ପହଞ୍ଚି ଗଲେ। ସଜ ଫୁଟା ମଲ୍ଲୀ ଫୁଲ ଗୁଡ଼ିକ ଦେଖି ଭାରି ଖୁସି ହେଲେ। ତାପରଦିନ ବାଲ୍ ଟି ଟିର ବାହାର ପଟକୁ ପରିଷ୍କାର କରି ସେଥିରେ ହାଲକା ନୀଳ ରଙ୍ଗ ବୋଳି ଦେଲେ। ଭାରି ସୁନ୍ଦର ଦିଶୁଥାଏ ଫୁଲଭ ଭର୍ତ୍ତି ଵାଲ୍ ଟି ଟି। ଅତି ଖୁସିରେ ବାଲଟି ଟିକୁ ବଗିଚାରୁ ଆଣି ଚଉରା ପିଣ୍ଡାରେ ଥୋଇଦେଲେ। ମହମହ ବାସୁଥାଏ ଦାଣ୍ଡଦୁଆର। ବାସ୍ନା ଵାରି ଜେଜେ, ଜେଜେମା, ଆଉ ମାମୁନି ଧାଇଁ ଆସିଲେ ଦାଣ୍ଡକୁ। ଅତି ଆନନ୍ଦରେ ମାମୁନିର ମୁଣ୍ଡ ସାଉଁଳେଇ ବାପା କହିଲେ -" ବାଃ ମୋ ସୁନା ଝିଅର କେତେ ଵୁଦ୍ଧି!!
ଵାଲ୍ ଟି ପାଖକୁ ଧାଇଁ ଗଲା ମାମୁନି। ଦୁଇ ଚାରିଥର ଆଉଁସି ଦେଇ, ମାମୁନି ଗେହ୍ଲେଇ ଗେହ୍ଲେଇ ପଚାରିଲା -" କଣ ସାଙ୍ଗ!! ଏଥର ଖୁସିତ??`
∎
୫୫୪/୧୯୬୫, ଶ୍ରୀଵିହାର
ପୋଷ୍ଟ - ପଟିଆ, ଭୁବନେଶ୍ଵର-୩୧
ଫୋନ୍ -୯୯୩୭୫୯୨୭୩୯

ଲେଖା ସମ୍ପର୍କୀୟ ମତାମତ
Niranjan Sahoo
02-08-2026 / 12:42:37
ବର୍ଜ୍ୟ ବସ୍ତୁର ବିନିଯୋଗ। ଶିକ୍ଷଣୀୟ।
Haripriya Pattnaik
01-08-2026 / 16:02:52
ବହୁତ ଭଲଲାଗିଲା ଗପଟି।