କବିତା
ମା ପାଇଁ ଗଛଟିଏ

ଯଶସ୍ବୀ ପ୍ରଧାନମନ୍ତ୍ରୀ ଜୟନ୍ତୀରେ
ମାଆ ପାଇଁ ଗଛଟିଏ,
ମାଆର ମାତୃତ୍ୱ ସାର୍ଥକ ଲଭିଛି
ତା`ର ସମ ଅଛି କିଏ ?
ବିଶ୍ୱର କଲ୍ୟାଣ ସମାଜ ନିର୍ମାଣ
ପରିବେଶ ପ୍ରତି ଧ୍ୟାନ,
ଜାଗି ଜଗାଇବା ଜନଗଣ ଆଜ
ତରୁଲତା ବିଶ୍ୱ ପ୍ରାଣ.
ଯୁଗ ଯୁଗାନ୍ତର ପାଦପର ଦାନ
ନାହିଁ ଯା`ର ପଟାନ୍ତର,
ମାଆ ପରି ତା`ର ତ୍ୟାଗ ଧରା ତଳେ
ଢାଳି ସ୍ନେହ ସୁଧା ଧାର.
ଶ୍ୱାସ ପ୍ରଶ୍ୱାସରେ ପ୍ରାଣ ପବନରେ
ଅଟେ ସଂଜୀବନୀ ଧାରା,
ନାହିଁ ତା` ବିକଳ୍ପ ଅଟେ କଳ୍ପବୃକ୍ଷ
ତ୍ୟାଗ ତା`ର ଅପାଶୋରା.
ବୃକ୍ଷ ବ୍ରହ୍ମରୂପା ଶ୍ୟାମଳ ସ୍ୱରୂପା
ସୃଜନର ସୂତ୍ରଧାରୀ,
ଧରାରେ ବିରାଜି ନିଜ ସୁଖ ତେଜି
ସାଜଇ ପରପୋକାରୀ.
ଯା` ପାଇଁ ବରଷା ମେଣ୍ଟେ କ୍ଷୁଧା ତୃଷl
ଅମୀୟ ସମ ବାରିଧି,
ଯା`ର ଚେର ମୂଳ ପତ୍ର ଫୁଲ ଫଳ
ଅଟେ ରୋଗ ମହୋଷଧି.
ଧୈର୍ଯ୍ୟ ସହିଷ୍ଣୁତା ଦାତା ପଣେ ମାତା
ସର୍ବଂସହା ବୃକ୍ଷଦେବୀ,
ମହତ ଜନମ ସୀମାହୀନ ଦାନ
ବଇରାଗୀ ସମ ତ୍ୟାଗୀ.
ଦିବ୍ୟକାନ୍ତିମୟ ସ୍ବର୍ଗୀୟ ସୁଷମା
ନାହିଁ ଯା` କାର୍ପଣ୍ୟଭାବ,
ସ୍ୱୟଂ ଜଗନ୍ନାଥ ଦାରୁରୁ ସମ୍ଭୁତ
ପାଦପ ମହାନୁଭବ.
ପ୍ରକୃତି ସୁରକ୍ଷା ଧରିତ୍ରୀ ମା ରକ୍ଷା
ଅର୍ଥରେ ବୃକ୍ଷରୋପଣ,
ବୃକ୍ଷ ହିଁ ଜୀବନ ବୃକ୍ଷ ପ୍ରାଣଧନ
ଅମୂଲ ମୂଲ ତା` ମାନ.
ସଂସାର ପଥରେ ପ୍ରାଣୀ ସୁରକ୍ଷାରେ
କରି ପୁଣ୍ୟମୟ ବ୍ରତ,
ଚିର ବନ୍ଦନୀୟା ଚିର ପୂଜନୀୟା
ପାଦେ କରେ ମଥାନତ.
🙏🙏🙏
∎
ଶିକ୍ଷକ
ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା.

ଲେଖା ସମ୍ପର୍କୀୟ ମତାମତ
ବସିରନ୍ ବିବି
01-11-2025 / 10:27:55
ଖୁବ୍ ସୁନ୍ଦର ଲେଖା