କବିତା
କେମିତି ହୁଅନ୍ତା ଏମିତି ହେଲେ

କୋଇଲି କରନ୍ତା କାଆ କାଆ ରାବ
କାଉ ଗାଉଥା`ନ୍ତା ମଧୁର ଗୀତ,
ସାପ ଓ ନେଉଳ ଡକାଡକି ହୋଇ
ଏକ ଆରେକର ସାଜନ୍ତା ମିତ;
କେମିତି ହୁଅନ୍ତା ଏମିତି ହେଲେ,
ଲୋଭୀ ସାହୁକାର ଭୋକୀଶୋଷୀ ଦେଖି
ଖୁସିମନେ ଦାନ ଦକ୍ଷିଣା ଦେଲେ!
କଖାରୁ ପରିକା ଅଙ୍ଗୁର ଫଳନ୍ତା
କଖାରୁ ଫଳନ୍ତା ଅଙ୍ଗୁର ପରି,
ସବୁଯାକ ପିଲା ପଢ଼ନ୍ତେ ହରଷେ
ନ ଗୋଟାଇ କେହି କାଗଜ, ଜରି;
କେମିତି ହୁଅନ୍ତା ଏମିତି ହେଲେ,
ଇଞ୍ଜିନ ଗାଡ଼ିକୁ ଆଗକୁ ନ ଟାଣି
ଜୋରରେ ଯଦି ପଛକୁ ଠେଲେ!
ମାଆକ୍ଷୀର ସବୁ ଦୁହିଁ ନ ନେବାକୁ
ବାଛୁରି ତାଆର କରନ୍ତା ଅଳି,
ଜାତି ଧରମକୁ ମନରୁ ପାସୋରି
ସଭିଏଁ ଚଳନ୍ତେ ନ କରି କଳି;
କେମିତି ହୁଅନ୍ତା ଏମିତି ହେଲେ,
ବଳ ହଟିଗଲେ ବାପାମାଆଙ୍କର
ପିଲାଏ ତାଙ୍କର ଯତନ ନେଲେ!
∎
ବି-୧୦/୧୪୫, କେନ୍ଦ୍ରୀୟ ବିହାର
ପୋ:ତମାଣ୍ଡୋ, ଭୁବନେଶ୍ୱର-୨୮
ଫୋ:୯୮୬୮୮୦୫୯୯୬

ଲେଖା ସମ୍ପର୍କୀୟ ମତାମତ