ଜ୍ଞାନବିଜ୍ଞାନ
ଲୁଣ

ମୋ ନାଆଁ ଶୁଣି କେହି କେହି ଭାବୁଥିବେ ଯେ ମୋ ବିଷୟରେ ସବୁକଥା ଜାଣିଛନ୍ତି । ହେଲେ ମୋ ସୁଆଦ ଛଡ଼ା ଆଉ କ`ଣ ବା ସେମାନେ ଜାଣିଛନ୍ତି ? ମତେ କେହି କହେ “ଖାଇବା ଲୁଣ, କିଏ “ଟେବୁଲ୍ ଲୁଣ`ନ ହେଲେ କିଏ କହେ ଖାଲି ଲୁଣ। ବୈଜ୍ଞାନିକମାନଙ୍କ ଭାଷାରେ ମୋର ନାମ ସୋଡିଅମ୍ କ୍ଲୋରାଇଡ୍ । ପ୍ରାଣୀଜଗତ ପାଇଁ ମୁଁ ଏକ ଅତ୍ୟନ୍ତ ଦରକାରୀ ପଦାର୍ଥ । ମାତ୍ର ମୋତେ ଅଧିକ ଖାଇଲେ ବିପଦ ଅଛି।
ଖାଦ୍ୟ ପଦାର୍ଥକୁ ପାଗ କରିବା ପାଇଁ ଓ ଅଧିକ ସମୟ ସୁରକ୍ଷିତ କରି ରଖିବା ପାଇଁ ମତେ ବ୍ୟବହାର କରାଯାଇଥାଏ। ତେବେ ମଣିଷମାନଙ୍କର ବ୍ଯବହାର ପାଇଁ ମତେ ସାଧାରଣତଃ ସମୁଦ୍ର ଜଳରୁ ତିଆରି କରାଯାଇଥାଏ। ମତେ ଗାଁ ଗହଳରେ `ପଗଡ଼ ଲୁଣ” ବୋଲି କହନ୍ତି । ମାତ୍ର ମତେ ଚୁରି ଅତ ସରୁସରୁ ଦାନା କରିଦେଇ “ଟେବୁଲ୍ ଲୁଣ`ରୂପେ ବ୍ୟବହାର କରାଯାଏ। ଏକ ପ୍ରକାରର ଖଣିଜ ଶିଳାରୁ ମୋର ପ୍ରସ୍ତୁତିକୁ ସୈନ୍ଧବ ଲୁଣ କୁହାଯାଏ । ଏହାର ରଙ୍ଗ ମାଟିଆ ଓ ଏହା ଖଣିଜ ଗନ୍ଧଯୁକ୍ତ। ମାତ୍ର ସାଧାରଣ ଲୁଣ ବା ଖାଇବା ଲୁଣ ଧଳା ଓ ସ୍ପଟିକ ପରି ଦାନା-ବିଶଷ୍ଟ। ଆଜିକାଲି ମୋ ଦେହରେ ଆୟୋଡିନ୍ ଯୁକ୍ତ କରି ମଣିଷମାନଙ୍କର ସ୍ଵାସ୍ଥ୍ୟ ଲାଗି ବ୍ୟବହାର କରାଯାଉଛି।
ଖାଦ୍ୟପଦାର୍ଥକୁ ମୁଁ ସୁଆଦିଆ କରିଥାଏ । ବହୁ ଅତୀତକାଳରୁ ମଣିଷ ସମାଜରେ ମୋର ପ୍ରଚଳନ ଅଛି । ଦରମାକୁ ଇଂରେଜୀରେ କୁହାଯାଏ ସାଲାରି । ଏହା ଲୁଣର ଇଂରେଜୀ ଶବ୍ଦ `ସଲ୍ଟ`ରୁ ଆସିଛି । ଅତୀତରେ ଲୁଣକୁ ମୂଲ ଆକାରରେ ଦିଆଯାଉଥିଲା ବୋଲି କେହି କେହ ଦାବି କରନ୍ତି। ସେମିତି ବିଭିନ୍ନ କଞ୍ଚାଖିଆ ପନିପରିବାକୁ ଏକାଠି କରି ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନକୁ କୁହାଯାଏ “ସାଲାଡ୍`। ଏହା ମଧ୍ଯ `ସଲ୍ଟେଡ୍` ବା `ଲୁଣିଆ`ଶବ୍ଦରୁ ଆସିଛି।
ପୌରାଣିକ ବର୍ଣନାରେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ମିଳିଥିଲା ସେ ଜିନିଷଟି ମୁଁ ବୋଲି କେତେକ ମଧ୍ୟ ଯୁକ୍ତି କରନ୍ତି ।
ଭାରତର ସମୁଦ ଉପକୂଳ ବେଶ୍ ଲମ୍ବା, ତେଣୁ ମୁଁ ସହଜରେ ମିଳେ । କିନ୍ତୁ ଇଂରେଜ ସରକାର ମୋ ଉପରେ କର ବସେଇ ଭାରତୀୟଙ୍କୁ ବଡ଼ ହଇରାଣ କରୁଥିଲେ। ସେଥିପାଇଁ ଗାନ୍ଧିଜୀ ବାଧ୍ୟ ହୋଇ ମୋ ନାଆଁରେ ସତ୍ଯାଗ୍ରହ କରିଥିଲେ। ଏ ସଫଳ ଆନ୍ଦୋଳନଟି ଲବଣ ଆନ୍ଦୋଳନ ବା ଦାଣ୍ଡିଯାତ୍ରା ଭାବରେ ଜଣାଶୁଣା ।
∎

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
28-02-2025 / 13:04:37
ଖୁବ୍ ସୁନ୍ଦର ଭାବ ବ୍ୟଞ୍ଜକ ଆଲୋଚନା । ତତ୍ତ୍ୱ ଓ ତଥ୍ୟ ଭିତ୍ତିକ । ବହୁତ ଶିକ୍ଷଣୀୟ । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି । ନମସ୍ତେ । ଜୟ ଜଗନ୍ନାଥ ।
ସବିତା ଭୋଇ
21-02-2025 / 13:54:28
ସହଜରେ ପିଲାଏ ବୁଝି ପାରିବେ ।ସୁନ୍ଦର ଲେଖା ।
Brundaban kumbhar
07-02-2025 / 16:56:33
Atisundar sishumanalakhi lekha
ବୃନ୍ଦାବନ କୁମ୍ଭାର
07-02-2025 / 16:53:44
ଅତି ସୁନ୍ଦର ଶିଶୁ ମନ ଲାଖି ଲେଖା ନମସ୍କାର
ବସିରନ୍। ବିବି
06-02-2025 / 20:48:19
ପିଲାଙ୍କ ପାଇଁ ଶିକ୍ଷଣୀୟ , ଲେଖକ ଙ୍କୁ ଧନ୍ୟବାଦ