କବିତା
ଭୁଦିଆ ଖରା

ଭୁଦ ମାସର ଭୁଦିଆ ଖରା
ଖରାଦିନଠୁ ବଳି
ଟାଣ ଖରାକୁ ଜୀବଜନ୍ତୁ ବି
ବାହାରନ୍ତିନି ଚରି I
ଖରାଦିନିଆ ଖରା ଭଳିଆ
ଭୁଦମାସିଆ ଖରା
ଦେହକୁ କାଟେ ମୁଣ୍ଡକୁ ଭେଦେ
ଅତି ଟାଆଣ ଖରା I
ଭୁଦର ସାଥେ ଶରତ ଆସେ
ନିର୍ମଳ ଶୋଭା ନେଇ
ସରସୀ ଜଳ କାଚ ପରିକା
ସଫା ସଫେଦ ଥାଇ I
ଯେଉଁଠି ଦେଖ ଦେଖି ପରଖ
ସ୍ୱଚ୍ଛତା ଥାଏ ସେଠି
ସ୍ୱଚ୍ଛ ପ୍ରକାଶ ସାରା ଜଗତ
ସୁନ୍ଦରତା ସବୁଠି I
ଧବଳ ବେଶେ କାଶ ଯେ ହସେ
ପବନ ସାଥେ ଖେଳି
ଥାଏ ସବୁଠି ତା` ଉପସ୍ଥିତି
ସାଥି ପବନ ଦୋଳି I
ଭୁଦିଆ ଖରା ଟାଣ ହେଲେ ବି
କାଶ ହୁଅଇ ଉଭା
କାଶ ସୁନ୍ଦରୀ ଶରତ ଶୀରି
ବାଢ଼େ ଶରତ ଶୋଭା I
ନାହିଁ ଖାତିରି ଭୁଦ ଖରାକୁ
କ୍ଷେତରେ ଚାଷୀ ଭାଇ
ବାଳୁଙ୍ଗା ବଛା କାମରେ ଥାଏ
ବେଳାରେ ଖାଇ ପିଇ I
ଭୁଦ ମାସର ଶୁକୁଳ ପକ୍ଷ
ଚତୁର୍ଥୀ ତିଥି ଦିନ
ପୂଜା ପାଆନ୍ତି ପାଠର ଦିଅଁ
ଗଣେଶ ଗଜାନନ I
ଏଇ ମାସର ତିଥି ତିହାର
ନୂଆଖାଇ ପରବ
ନୂଆ ଅନ୍ନକୁ ମାଟିମାଆକୁ
ସଅଁପିବାରେ ଗର୍ବ I
ନଡରି ଭୁଦ ମାସିଆ ଖରା
ପାଳୁ ପରବ କେତେ
ପାଳି ପରବ ଗରବ ଭାବ
ସାଉଁଟି ଥାଉ ସେତେ I
ବଉଦରାଜ -762014, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
ହରିପ୍ରିୟା ପଟ୍ଟନାୟକ
04-09-2025 / 10:59:51
ଭଲଲାଗିଲା କବିତାଟି। ଆହୁରି ଲେଖନ୍ତୁ ଏମିତି ଆପଣଙ୍କ ସ୍ଥାନୀୟ ଭାଷାରେ।