କବିତା
ଜହ୍ନ

ଜହ୍ନ ଯେବେ ଆସେ ଆକାଶ ରେ ଉଇଁ
ଚଉଦିଗ ତୋଫା ଦିଶେ
ହସେ ବାଟଘାଟ ହସେ ନଈତୁଠ
ଦୂର ତାଳବଣ ହସେ ।
କୋଟିକୋଟି ତାରା ଆକାଶରେ ଭରା
ତମସା ପାରେନି ନାଶି
ଗୋଟିଏ ଜହ୍ନର ଆଲୁଅ ପରଶେ
ସୁନ୍ଦର ଦିଶଇ ନିଶି ।
ପୃଥିବୀ ଘୂରୁଛି ସୂର୍ଯ୍ୟ ଚାରିପଟେ
ସେଥିପାଇଁ ରାତି ଦିନ
ପୃଥିବୀର ଚାରି ପାଖରେ ନିଇତି
ଘୂରୁଅଛି ଏଇ ଜହ୍ନ ।
ସୂରୁଯ ଆଲୁଅ ଜହ୍ନରେ ତ ପଡି
ଝରଇ ଯୋଛନା ହୋଇ
ଖରା ଲାଗେ ସିନା ଦେହକୁ ଉଷୁମ
ଯୋଛନା ଶୀତଳ ଛାଇ ।
ଜହ୍ନ ରାତିରେ ତ ଭାରି ଭଲଲାଗେ
ଆମ ଗାଁ ବଣ ବିଲ
ଟୁଭି ପୋଖରୀରେ ଖିଲିଖିଲି ହସେ
ମନଲୋଭା କଇଁ ଫୁଲ ।
ପୂରାଣରେ ଲେଖା ଲକ୍ଷ୍ମୀଙ୍କ ସାଥିରେ
ଜହ୍ନ ତ ସାଗରୁ ଜାତ
ମାଆଙ୍କର ଭାଇ ହୋଇଥିବାରୁ ସେ
ଜହ୍ନମାମୁଁବୋଲି କ୍ଷାତ ।
ଅଝଟ ଛୁଆକୁ ବୁଝାଇବା ପାଇଁ
ମାଆ ଡାକେ ହସିହସି
ଆ ଜହ୍ନମାମୁଁ ସରଗ ଶଶୀ ରେ
କୁନା ହାତେ ପଡ ଖସି ।
∎

ଲେଖା ସମ୍ପର୍କୀୟ ମତାମତ
ସ୍ୱର୍ଣ୍ଣ ଲତା ତ୍ରିପାଠୀ
02-09-2025 / 23:08:54
କବିତାଟି ବହୁତ୍ ଭଲ ଲାଗିଲା ।ଟିକେ ବନାନ ଅଶୁଦ୍ଧି ରହିଛି ।
ହରିପ୍ରିୟା ପଟ୍ଟନାୟକ
02-09-2025 / 17:29:39
ମନଛୁଆଁ କବିତା। କିନ୍ତୁ ବନାନ ଅଶୁଦ୍ଧି ରହିଛି। ଯୋଛନା -ଜୋଛନା କ୍ଷାତି-ଖ୍ୟାତି ହେବ।
ଡ. ବିଜୟା ପାତ୍ର ଓ
01-09-2025 / 18:41:50
ସୁନ୍ଦର ହେଇଛି।