କବିତା
ହେବ ତୁମେ ଶ୍ରେଷ୍ଠ ନର

ସମୟ ସାଥିରେ ଚାଲୁଥାଅ ସଦା
ଅରଜିବ ଯଶମାନ,
ସମୟର ଦାମ୍ ଅତୁଲ ଅଟଇ
ସବୁଠାରୁ ମୂଲ୍ୟବାନ ।
ଯେଉଁ ଶିଶୁଟି ତା ମୂଲ୍ୟକୁ ବୁଝିଛି
ହୋଇଛି ସେ ଦିନେ ବଡ଼,
ମନର ସମସ୍ତ ଆଶା ପୂରା କରି
ଜିଣିଛି ଅଭେଦ୍ୟ ଗଡ଼ ।
ସମୟାନୁସାରେ ଚାଲିବା ପାଇଁକି
ଅଣ୍ଟାରେ ଝୁଲାଇ ଘଡ଼ି,
ବାପୁ ପାରିଥିଲେ ନିଜ କର୍ମ ପଥୁ
ନାନା ବାଧା ବିଘ୍ନ ଏଡି ।
ଘଣ୍ଟାର କଣ୍ଟାଟି ନିଷ୍ଠା ସହକାରେ
ଅବିରାମ କାର୍ଯ୍ୟ କରେ,
ତା`ପରି ହୋଇକି କର୍ମ କରୁଥିଲେ
ଜୀବନ ଖୁସିରେ ଭରେ ।
ସମୟ କାହାକୁ ଅପେକ୍ଷା କରେନି
ଦେଖେନି ଆପଣା ପର,
ସମୟକୁ ଯିଏ ଆପଣାର କରେ
ମିଳଇ ବାଞ୍ଛିତ ବର ।
କାଲି କାମ ଆଜି ଆଜି କାମ ଏବେ
ସମୟ କହୁଛି କର,
ତେବେ ଯାଇ ସିନା କୋଟିଏରେ ଗୋଟେ
ହେବ ତୁମେ ଶ୍ରେଷ୍ଠ ନର ।
ବାଉଁଶିଆପଡା, ନୟାଗଡ଼

ଲେଖା ସମ୍ପର୍କୀୟ ମତାମତ