କବିତା
ବାଇ ଚଢେଇ

କେତେ ଟିକି ଏଇ ବାଇ ଚଢେଇ
କି ଯତନେ ଦେଖ ବସା ବୁଣଇ,
ଟିକି ଥଣ୍ଟେ ,କୁଟା କାଠିକୁ ଧରି,
ଉଡ଼ି ଆସୁଅଛି ଦେଖ କିପରି।
ଅଧାଗଢ଼ା ବସାରେ, ତାକୁ ଯୋଖି,
ଆଉ ଖଣ୍ଡେ ପାଇଁ ଉଡ଼ି ଯାଉଛି,
ଅବିରତେ ଲାଗିଅଛି କାମରେ,
ଏକ ମନ ପ୍ରାଣ ଏକ ଧ୍ୟାନରେ ।
କୁନି ଥଣ୍ଟ ଟିରେ ତାଳ ଖଜୁରୀ,
ପତର ଆଣୁଛି ଯତନେ ଚୀରି,
ଚଢେଇ କୁଳର ବୁଣାଳୀ ପକ୍ଷୀ,
ବସା ବୁଣେ ଘାସ ପତର ଯୋଖି।
ଗଢୁଛି ବସାକୁ କରି ଜବର
ବାଆ ବତାସ କୁ ନଥିବ ଡର,
ଝଡି ବରଷାରେ ବସାରେ ଥାଇ,
ଦୋଳି ଖେଳୁଥିବ ଛୁଆଙ୍କୁ ନେଇ।
ଶିଖ ତା`ଠାରୁ କର୍ମ କଉଶଳ,
ଅଳସ ଠାରୁ ରହି ସଦା ଦୂର ,
ମନ ଲଗାଇ ଯେ କରଇ କାମ,
ବିଫଳ ହୁଏନି ତ`ପରିଶ୍ରମ।
∎
ନୟାଗଡ଼

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 13:35:12
ବସିରନ୍ ବିବି ଭଗିନୀ! ଖୁବ୍ ଯତ୍ନ ପୂର୍ବକ ଲେଖିଛନ୍ତି ପିଲାମାନଙ୍କ ପାଇଁ ଖୁସି ଲାଗିଲା। କରମ କଉଶଳ ତା ଦେଖ ଛୋଟିଆ ବାଇ ଚଢେଇ କେଡେ ବଢିଆ ବସା ଗଢିଛି ସତେ କି କାଠ ବଢେଇ ଶ୍ରମ କରିଛି ଆଗତୁରା ସେ ଖରା କଷଣ ସହି ବର୍ଷଭାବେଳେ ମଜାଲୁଟୁଛି ଘର ଭିତରେ ରହି ଅଳସୁଆମି ଛାଡିବା ଆମେ କାଳକ୍ଷେପଣ ନୀତି ତେବେ ଭାଇରେ ସୁଖ ପାଇବା ଆମେ ବି ଏଇମିତି।। ଧନ୍ୟବାଦ କବୀଜୀ। ଖୁବ୍ ଲେଖନ୍ତୁ।