Skip to content
ଶିଶୁ କିଶୋର

କବିତା

ଫେରିଯିବି ପୁଣି ଗାଆଁକୁ

ଫେରିଯିବି ପୁଣି  ଗାଆଁକୁ

ଗାଆଁଭୂଇଁ ମୋତେ ଆଦରେ ଡାକୁଛି
ଫେରିଯିବି ତା`ର କୋଳକୁ,
ଦିଆଲି ରାତିର ମଉଛବ ସାଥେ
ରଙ୍ଗ ଖେଳିବାକୁ ଦୋଳକୁ।
ତୋଟା ଗହଳରେ ଗପିବାକୁ ବସି
ହସ ମଉଜରେ ମାତିକି,
ଗାଆଁଦାଣ୍ଡ ସାରା ଘୂରି ବୁଲିବାକୁ
କୁଆଁରପୂନେଇଁ ରାତିକି।
କାକରପଖଳା ଘାସ ଗାଲିଚାରେ
ସୁନେଲି ଖରାର ପରଶ,
ମୁକୁତା ସମାନ ଝଲସେ ଯେଉଁଠି
ପରାଣେ ଖେଳାଇ ହରଷ।
ଚିତିରିମିତିରି ପରଜାପତିଟି
ମଖମଲୀ ଡେଣା ହଲେଇ,
ଫୁଲରୁ ଫୁଲକୁ ଉଡ଼ି ଉଡ଼ି ବୁଲେ
ସବୁ ଦୁଃଖ ଦିଏ ଭୁଲେଇ।
ଟୁବ ଗଡ଼ିଆରେ ନୀଳକଇଁ ଫୁଟି
ଚାହିଁଥାଏ ଯହିଁ ଜହ୍ନକୁ,
ଧାନଫୁଲ ତା`ର ମିଠା ମହକରେ
ମହକାଇଦିଏ ମନକୁ।
ଆମ୍ବନସିଭଙ୍ଗା ତା` ସଜପଖାଳ
ବଡ଼ି-ନେଉଟିଆ ଶାଗଟି,
କେଉଁ ଦରବ ବା ସରିହେବ ତା`ର
ଲାଗେ ଆହା କେଡ଼େ ବାଗଟି!
ଗାଆଁ ତୁଲ କେବେ ସହର କି ହେବ
ଭରିଛି ଯେଉଁଠି ସରାଗ,
ସରଳ ମନରେ ସାଇତା ଯେଉଁଠି
ସ୍ନେହ-ଶରଧାର ପରାଗ?
ଉଛୁର ନ କରି ସହରରୁ ଏବେ
ଫେରିଯିବି ପୁଣି ଗାଆଁକୁ,
ଗାଆଁମାଟି ଛୁଇଁ ପରମ ପୁଲକେ
ନମିବାକୁ ମୋର ମାଆକୁ।

∎
ଭ୍ରାମ୍ଯଭାଷ:୯୮୬୮୮୦୫୯୯୬

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ନଭେମ୍ବର :୨୦୨୪ , ପ୍ରଥମ ବର୍ଷ : ଏକାଦଶ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଶଶୀକାନ୍ତ ପଲାଇ

05-11-2024 / 08:26:37

ବ‌ହୁତ ସୁନ୍ଦର ହୋଇଛି।

ଲକ୍ଷ୍ମୀକାନ୍ତ ଦଳେଇ

02-11-2024 / 10:04:49

ଚମତ୍କାର କବିତା। ଅତୀତର ଗାଁ ପରିବେଶ ସତେ ଯେମିତି ଜୀବନ୍ୟାସ ପାଇଛନ୍ତି ପ୍ରତିଟି ଶବ୍ଦରେ।

ଅଶୋକ କୁମାର ସେଠୀ

01-11-2024 / 21:56:57

ବହୁତ ଭଲ ଲାଗିଲା କବିତା

Swarnalata Tripathy

01-11-2024 / 15:38:58

ଗାଁ ଏବେ ସହର ପରି ।ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ନିଆରା ।ଲେଖାଟି ଅତ୍ୟନ୍ତ ମନଛୁଆଁ ।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion