କବିତା
ଶିଶିର ମୋତିର ଋତୁ

ବରଷରେ ବାର ମାସ ଛଅ ଋତୁ ପ୍ରକୃତି ଦେଇଛି ଦାନ,
ତାହାରି ଆଶିଷେ ଯିଏ ଯାହା ଗୁଣେ
ହୋଇଥାନ୍ତି ବଳିୟାନ।
କାର୍ତ୍ତିକ ଓ ମାର୍ଗଶିର ମାସ ଦୁଇ
ହେମନ୍ତ ଋତୁ ରେ ଗଣା ,
ହିମ କାକରରେ ଶିଶିର ମୋତିର
ଋତୁ ନାମେ ଯାହା ଜଣା।
ଋତୁ ଚକ୍ରରେ ଯେ ଆସି ପହଞ୍ଚିଛି
ଶିଶିର ମୋତିର ଋତୁ,
ମନେ ଉନ୍ମାଦନା ଦେଇଅଛି ଭରି
ଗଢେ ଭାବନାର ସେତୁ।
କଅଁଳ କିରଣ ସୂରୁଜ ଉଇଁଲେ
ପଡେ ଘାସ ଗାଲିଚାରେ,
ଶିଶିର ବିନ୍ଦୁ ଯେ ଚିକ୍ ମିକ୍ କରେ
ମୁକ୍ତା ଭ୍ରମ ସୃଷ୍ଟି କରେ ।
ପହିଲି ଶୀତରେ ଆକାଶୁ ଝରଇ
ଶିଶିର ର ମୋତି ବିନ୍ଦୁ
କୁମୁଦିନୀ ଦୁଃଖ ନ ସହି ପାରିଣ
ଜ୍ୟୋସ୍ନା ଢ଼ାଳି ଦିଏ ଇନ୍ଦୁ ।
ସୁନେଲି କ୍ଷେତର ଧାନକେଣ୍ଡା ଯେତେ
ଲାଜରେ ନଇଁ ପଡନ୍ତି,
ଶିଶିର ଟୋପାର ପରସରେ ପକ୍ଷୀ
ଖୁସି ମନେ ବିହରନ୍ତି ।
କୁହୁଡି ଆଛନ୍ନ ଶୀତ ର ସକାଳ
ଝୁମି ଝୁମି କରି ଆସେ,
ଗେଣ୍ଡୁ ,ସେବତୀ ଓ ଗୋଲାପ ମହକେ
ଲକ୍ଷ୍ମୀ ପ୍ରସାଦ ସୁବାସେ ।
କି ସୁନ୍ଦର ମନଲୋଭା ଦୃଶ୍ୟକାନ୍ତି
ମନ ନେଇ ଯାଏ ଟାଣି,
ସ୍ରଷ୍ଟା ଙ୍କ ସୃଷ୍ଟି ରେ ସୁନ୍ଦର ଋତୁ ଟି
ନାଚେ ଯେ ପ୍ରକୃତି ରାଣୀ ।
ହେ ବିଶ୍ଵନିୟନ୍ତା ଧନ୍ୟ ତୁମ ସୃଷ୍ଟି
ଋତୁଚକ୍ର ତିଆରିଛ,
ଦୁଃଖ ଓ ସୁଖ କୁ ଫେଣ୍ଟା ଫେଣ୍ଟି କରି
ଜୀବନେ ଶାନ୍ତି ଭରିଛ ।
∎
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ