କବିତା
କୋଟି ଶରଧାର ଭାବ

କୁଆଁ କୁଆଁ ରାବ ଶୁଣି ମୋର ମାଆ
ପଚାରେ କାନ୍ଦୁଛୁ କିଆଁ,
କହିଲି ମାଆ ଲୋ ଜାଣି ନାହିଁ କିଛି
ସବୁ ତ ଲାଗୁଛି ନୂଆ ।
ଯେଉଁ ଘରେ ଥିଲି ଅତି ଆଦର ରେ
ଅପରୂପ ତା `ର ଶୋଭା,
ଖାଇବା, ଶୋଇବା, ଖେଳିବା ଉଆସ
ଥିଲା କେତେ ମନଲୋଭା ।
ହେଲେ ବି ଛୋଟିଆ ସେ ଘରେ ପାଇଛି
କୋଟି ଶରଧା ର ଭାବ,
ସେ ମଧୁର ଖୁସି ମମତାର ମୋହ
କିଏ ଵା ଦେଇ ପାରିବ ।
ମାଆ ହସି କହେ, ସେହି ଖୁସି ପାଇଁ
ସହିଛି କେତେ କଷଣ,
ପିଇ ତ ଯାଇଛି ଯେତେ ଲୁହ ଲହୁ
ଦିନେ ତୁ ଜାଣିବୁ ଧନ ।
ଯେତେ ଆଗେ ଯିବୁ ବଡ଼ ହୋଇ ହୋଇ
ଦେଖିବୁ ନୂଆ ସପନ,
ଭୁଲି ତୁ ଯିବୁନି ମାଆର ମମତା
ଥିଲୁ ରଙ୍କୁଣୀ ରତନ ।
ଏ ସବୁ ଭାବନା ମାଆ କରୁଥିଲା
ଏନ୍ତୁଡ଼ି ପାଖରେ ଶୋଇ,
ଆଖିରେ ତାହାର ଭାସି ଉଠୁଥିଲା
ମମତା ମୋହରି ପାଇଁ ।
ଗାଲେ ବୋକ ଦେଇ କୋଳକୁ ନେଲା ସେ
ଶୁଣି କୁଆଁ ଡ଼ାକ ସ୍ୱର,
ସେ କୋଳ ରେ ଭରା ସରଗ ର ସୁଖ
ଆନ ଲୋଡ଼ା ନାହିଁ ମୋର ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼
ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ