ଗପ
ବକ୍ସିଂ ଡେ

୨୦୨୩ ଡିସେମ୍ବର ଛବିଶରୁ ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ଟେଷ୍ଟ କ୍ରିକେଟମ୍ୟାଚ ଖେଳାଯାଉଛି। ପ୍ରଥମଟେଷ୍ଟ ବକ୍ସିଂଡେରେ ଅନୁଷ୍ଠିତ ହୋଇଥିଲାବୋଲି ଖବରକାଗଜରେ ବାହାରିଲା। ଏହି ବକ୍ସିଂ ଡେ କ`ଣ ? ଡିସେମ୍ବରମାସ ପଚିଶତାରିଖଦିନ ପ୍ରଭୁ ଯିଶୁଖ୍ରୀଷ୍ଟ ଜନ୍ମ ହୋଇଥିଲେବୋଲି ଖ୍ରୀଷ୍ଟଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଓ ସେହି ଦିନକୁ ବଡଦିନ ଭାବରେ ପାଳନକରନ୍ତି। ତା`ପର ଦିନକୁ ବକ୍ସିଂ ଡେ କୁହାଯାଏ। ବକ୍ସିଂ ଡେ - ନାଁ ଶୁଣି କେହି ଭାବିବେ ସେଦିନ ବକ୍ସିଂ ପ୍ରତିଯୋଗିତା ହେଉଥିବ। ମାତ୍ର ତାହାନୁହେଁ। ଭିକ୍ଟୋରିଆ ଇଂଲଣ୍ଡର ରାଣୀ ଥଲାବେଳେ ୧୮୩୩ ମସିହାରେ ପ୍ରଥମେ ବକ୍ସିଂଡେ ପାଳନ କରାଯାଇଥିଲା। ଖ୍ରୀଷ୍ଟିଆନମାନେ ବଡଦିନକୁ ଜାକଜମକରେ ଆନନ୍ଦ ଉଲ୍ଲାସରେ ପାଳନକରନ୍ତି। ତହିଁପରଦିନ ଧନୀଲୋକମାନେ ଛୋଟଛୋଟ ବାକ୍ସରେ ନାନା ଉପହାର ପୂରାଇ ଗରିବମାନଙ୍କୁ ଦାନକରୁଥିଲେ। ବାକ୍ସକୁ ଇଂରାଜୀରେ ବକ୍ସ କୁହାଯାଉଥିବାରୁ ବାକ୍ସରେ ଉପହାର ପୂରାଇବା କାର୍ଯ୍ୟକୁ ବକ୍ସିଂ କୁହାଗଲା।
ଗରିବମାନେ ଏଥିପାଇଁ ଖୁସିହେଲେ ଏବଂ ସେହିଖୁସିରେ ସମସ୍ତେ ସାମିଲହେବାଲାଗି ଡିସେମ୍ବର ଛବିଶ ତାରିଖକୁ ଛୁଟିଦିବସ ଘୋଷଣାକରାଗଲା। ବ୍ରିଟିଶ ସାମ୍ରାଜ୍ୟ ଅଧୀନରେଥିବା ସ୍କଟଲାଣ୍ଡ, ଆୟାର୍ଲାଣ୍ଡ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, କାନାଡାରେ ମଧ୍ୟ ଡିସେମ୍ବର ଛବିଶ ତାରିଖକୁ ବକ୍ସିଂଡେ ହିସାବରେ ପାଳନକରାଗଲା। ପରେ ହଙ୍ଗେରୀ, ନେଦରଲାଣ୍ଡ, ପୋଲାଣ୍ଡ, ରୁମାନିଆ ପ୍ରଭୃତି ଦେଶରେବି ଏହା ପାଲିତହେଲା। ଏହିଦିନ ସମସ୍ତେ ଭୋଜିଭାତ, ଖେଳକୁଦକରିବାସହିତ ଦରକାରୀ ଜିନିଷପତ୍ର କିଣି ଗରିବଲୋକଙ୍କୁ ଉପହାର ଦେବା ଆରମ୍ଭକଲେ।
ବକ୍ସିଂଡେଦିନ ସମୁଦ୍ରମଝିରେ ଜାହାଜଭିତରେ ଥିବାଲୋକମାନେ ଗୋଟିଏ ବଡବାକ୍ସରେ ଟଙ୍କା,ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥମାନ ପୂରାନ୍ତି ଓ ଜଳଯାତ୍ରା ନିରାପଦରେ ଶେଷହେଲେ ସେହି ବାକ୍ସକୁ କୌଣସି ଚର୍ଚ୍ଚର ବିଶପଙ୍କ ଦାୟିତ୍ୱରେ ଗରିବମାନଙ୍କୁ ବାଂଟିବାଲାଗି ଦିଅନ୍ତି। ପ୍ରକୃତରେ ଅନ୍ୟକୁ ଦେବାରେ ଆନନ୍ଦ ଏକ ମହତ ଅନୁଭବ।
ଇଂଲଣ୍ଡ ଆମେରିକାପରି ଦେଶରେ ଲୋକମାନେ ଗରିବ ଅସହାୟମାନଙ୍କପାଇଁ ଯେପରି ଦାନକରନ୍ତି ଦେଖିଲେ ଆଶ୍ଚର୍ଯ୍ୟଲାଗେ। ସ୍ୱେଚ୍ଛାସେବୀ ସଂସ୍ଥାମାନେ ଘରଘରବୁଲି ଗୋଟିଏ ଲେଖା ମୁଣିଦେଇଯାଆନ୍ତି। ଦାନଦେବାସକାଶେ ଜୋତା, କଣ୍ଢେଇଠାରୁ ଆରମ୍ଭକରି ପ୍ୟାଂଟସାର୍ଟ ପର୍ଯ୍ୟନ୍ତ ଯିଏ ଯାହା ଦେବାକୁ ଚାହିଁବେ ସେହିମୁଣିରେ ତାହା ପୂରାଇ ଏକ ନିର୍ଦ୍ଦିଷ୍ଟଦିନ ଘରବାହାରେ ରଖିଦେବେ ଓ ସ୍ୱେଚ୍ଛାସେବୀମାନେ ଆସି ମୁଣିସହ ଦାନପାଇଁ ରଖାଯାଇଥିବାଜିନିଷକୁ ନେଇଯିବେ। କେଉଁଦିନ ଓ କେଉଁକାର୍ଯ୍ୟପାଇଁ ସେହି ଦାନଗ୍ରହଣକରାଯାଉଛି ତାହା ସେହି ମୁଣିଉପରେ ଲେଖାହୋଇଥାଏ। ସାଧାରଣତଃ କ୍ୟାନସରରୋଗୀ, ରକ୍ତକର୍କଟରୋଗୀ, ଆଲଝିମରରୋଗୀ, ଅନାଥ ଅସହାୟଲୋକଙ୍କୁ ସାହାଯ୍ୟକରିବାଠାରୁ ଆରମ୍ଭକରି, ବିଭିନ୍ନ ଜନହିତକର କାର୍ଯ୍ୟ ଲାଗି ଏପ୍ରକାର ଦାନ ସଂଗ୍ରହକରାଯାଇଥାଏ। ସାନବଡ ଝିଅମାନେ କ୍ୟାନସର ରୋଗୀଙ୍କପାଇଁ ନିଜ ମୁଣ୍ଡବାଳ ମଧ୍ୟ ଦାନକରିଥାଆନ୍ତି।
୨୫୨, ସହିଦନଗର- ୭୫୧୦୦୭

ଲେଖା ସମ୍ପର୍କୀୟ ମତାମତ