ଗପ
ଗୁଡ଼ି

ଲମ୍ବାଥଣ୍ଟିଆ ମାଛରଙ୍କାଟେ ଟୁବ୍ କିନା ନଈପାଣିରେ ଥଣ୍ଟକୁ ବୁଡେଇ- ଦେଲା। ଛୋଟୁର ଧ୍ୟାନ ଭାଙ୍ଗିଲାନି। ତା`ଆଖି ଉଡୁଥିବା ଗୁଡ଼ି ଉପରେ। ପାଖରେ ଠିଆ ହେଇଥିବା ମନୁ କହିଲା "ଦେ ଆଉଟିକେ ସୂତା ଛାଡିଦେ। କଟିଯିବ ଗୁଡିଟା। ବିଶୁକୁ ପାନେ ଦେ"। ନଈକୂଳରେ କିଛି ଦୂରରେ ଠିଆ ହେଇ ଗୁଡ଼ି ଉଡଉଥିବା ବିଶୁକୁ ଲକ୍ଷ୍ୟ କରି କହିଲା ସେ।
ସତକୁସତ ଆଉ ଟିକେ ସୂତା ଛାଡି ଦେଇ ନଟେଇଟାକୁ ଟାଣି ଆଣିଲା ଛୋଟୁ। ଆରେ! ଇଏ କଅଣ! ବିଶୁର ସୂତାରେ ଛନ୍ଦି ହେଇଗଲା ଗୁଡ଼ି ଟା। ତା`ପରେ ସର୍ ର କିନା କଟିଯାଇ ଖସୁଥିଲା ପାଖରେ ଥିବା କିଆବୁଦା ଆଡକୁ। ନଟେଇଟାକୁ ହାତରେ ଧରି ଥମ୍ କରି ଠିଆ ହୋଇଗଲା ଛୋଟୁ।ମନୁ ଦୈ।ଡିଲା ଗୁଡ଼ିଟାକୁ ଗୋଟେଇ ଆଣିବାକୁ ।
ବିଶୁ ମଧ୍ୟ ତା` ନଟେଇର ସୂତାକୁ ଟାଣି ଆଣିବାରେ ଲାଗିଲା। ତା`ପରେ ସେ ନଟେଇ ଓ ଗୁଡି ସହ ଛୋଟୁ ପାଖକୁ ଆସି କହିଲା "ମୁଁ ତୋ ଗୁଡ଼ି କାଟିବାକୁ ଚାହୁଁ ନ ଥିଲି ରେ । ତୋ ଗୁଡ଼ି ଟା ଆସି ମୋ ଗୁଡିରେ ଗୁଡେଇ ହେଇଗଲା।ଟାଣ ମାଞ୍ଜା ଦିଆ ହେଇଥିବା ମୋ ସୂତାରେ କଟିଗଲା ତୋ ଗୁଡିଟା।
କିଛି ନ କହି ମୁହଁ ଫୁଲେଇ ଛୋଟୁ ଘରମୁହାଁ ହେଲା।
ସେଇଦିନ ସଂଧ୍ୟା ପରେ ଛୋଟୁ ଆଉ ତା`ଜେଜେ ଜଗନ୍ନାଥ ବାବୁ ସ୍ଥିର କଲେଯେ ତହିଁ ଆରଦିନ ସେମାନେ ଟାଣ ମାଞ୍ଜା ତିଆରି କରି ସକାଳେ ସୂତାରେ ଦେଇ ଖରାରେ ଶୁଖାଇ ଦେବେ। "କାଲି ତୋର ଗୁଡିକୁ କେହି କାଟି ପାରିବେ ନାହିଁ।" ଛୋଟୁକୁ ବୋଧ ଦେଇ କହିଲେ ତା`ଜେଜେ।
ତହିଁ ଆରଦିନ ଫର୍ଚ୍ଚା ହେଇ ଆସିଲାଣି। ନଈପଠାରେ ହେଇଥିବା ସୋରିଷଫୁଲ ଉପରେ ମହୁମାଛିମାନଙ୍କୁ ଦେଖି ବିଶୁ ଭାବିଲା-ଏତେ ଭୋର୍ ରୁ ଏମାନେ କାମରେ ଲାଗିଗଲେଣି !ସବୁଦିନ ବଡ଼ି ଭୋରରୁ ନଈକୂଳରେ ବୁଲିବା ବିଶୁର ଅଭ୍ୟାସ। ଏଇ ସମୟରେ ଧସ୍ କରି ଗୋଟେ ଶବ୍ଦ ଶୁଣାଯିବାରୁ ସେ ସେଇ ଆଡକୁ ଚାହିଁ ଦେଖିଲାଯେ କେହି ଜଣେ ପାଣି ଭିତରେ ପଡିଗଲା।
ବିଶୁ ସେଇ ଆଡକୁ ଦଉଡିଲା।
ପାଣିରେ ଖସି ପଡିଥିବା ଲୋକଟିକୁ ବହୁକଷ୍ଟରେ କୂଳକୁ ଆଣି ସେ ପାଟିକରି ଡାକଦେଲା-"ଧାଇଁ ଆସ ହୋ । ଜେଜେ ପଡି ଯାଇଛନ୍ତି"।
ନଈର ଅଳ୍ପ ଦୂରରେ ତାଙ୍କ ଗାଆଁ। ଭୋର୍ ରୁ ନଈଆଡେ ଆସୁଥିବା କେତେଜଣ ତା` ଡାକ ଶୁଣି ଦଉଡି ଆସିଲେ। ଛୋଟୁର ଜେଜେ ପଡିଯାଇଥିଲେ। ସମସ୍ତେ ମିଶି ଜଗନ୍ନାଥ ବାବୁଙ୍କୁ ଟେକି ଟେକି ଗାଆଁକୁ ନେଇ ଆସିଲେ। ସେ ଖାଲି ଜୁଳୁ ଜୁଳୁ କରି ଚାହୁଁ ଥାଆନ୍ତି।
ଘରେ ଛୋଟୁର ଜେଜେ ସୁସ୍ଥ ହେଲେ।ବୟସ ହେଲାଣି। ସେଦିନ ତାଙ୍କର ମୁଣ୍ଡ କାହିଁକି ବୁଲେଇ ଦବାରୁ ନଈ ଭୀତରେ ସେ ପଡିଗଲେ। ଡାକ୍ତର ଆସି ଦେଖି ଔଷଧ ଲେଖିଦେଲେ । ଔଷଧ ଖାଇବାରୁ ସେ ସୁସ୍ଥ ହେଇଗଲେ।
ଜେଜେ ଶୋଇ ରହିଥାଆନ୍ତି।ପାଖରେ ବିଶୁ ଓ ଛୋଟୁ ବସିଥାଆନ୍ତି। ଜେଜେ କହିଲେ"ବିଶୁନିଆ ନଥିଲେ ମୁଁ ଆଜି ବଞ୍ଚି ନଥାନ୍ତି। ବାରବର୍ଷର ଛୁଆଟା ମୋତେ ପାଣିରୁ ଉଠେଇ ଆଣିଲା"। ଛୋଟୁ ଆଉ ବିଶୁ ଦୁହିଁଙ୍କ ହାତ ଧରି ସେ କହିଲେ "ଭଲ ସାଙ୍ଗ ଠାରୁ ବଡ଼ ସମ୍ପତ୍ତି ଦୁନିଆରେ ନାହିଁ। ତୁମେମାନେ ସାଙ୍ଗ ହେଇ ଖେଳିବ। ଖେଳରେ କେତେବେଳେ ହାରିବ ତ କେତେବେଳେ ଜିତିବ। ମନରେ ରାଗ ରଖିବ ନାହିଁ"।
ସେ ପୁଣି କହିଲେ ଗୁଡି ଉଡେଇଲେ ମନର ଧ୍ୟାନ ବଢିବ, ହାତ ମଧ୍ୟ ଟାଣ ହେବ। କିନ୍ତୁ କେହି କାହାର ଗୁଡ଼ି କାଟିବାକୁ ଚେଷ୍ଟା କରିବ ନାହିଁ" ।
ଛୋଟୁର ଆଖିରେ ଲୁହ ଆସି ଯାଇଥିଲା। ବିଶୁ କହିଲା "ଛୋଟୁ,ଜେଜେ ଭଲ ହେଇଗଲେଣି।ଆ,ଏବେ ନଈକୂଳେ ଗୁଡ଼ି ଉଡେଇବା"।
ଟିକେ ହସି ଛୋଟୁ କହିଲା "ଚାଲ" ।

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
04-02-2024 / 17:16:18
ପିଲାଙ୍କ ପାଇଁ ଶିକ୍ଷଣୀୟ ଗପଟିଏ। ଭଲ ଲାଗିଲା।