କବିତା
ପାଠପଢ଼ାର ମୂଲ

ବରଷେ ହେଲା
ଧରିନି ବହି
ସମୟ ଗଲା ଖେଳେ,
ପରୀକ୍ଷା ଆସି
ପାଖେଇଗଲା
ହେବ ଠିକଣା ବେଳେ।
କଳା କାଛେଣି,
କଳା କୁକୁଡ଼ା,
ନାଲି ମନ୍ଦାର ନେଇ,
ହୁକୁମ ସବୁ
ହାତେଇ ନେଲା
ଗୁଣିଆଁକୁ ସେ ଦେଇ।
ମଥାରେ ମାରି
ସିନ୍ଦୂର କଲି
କାନରେ ଖୋସି ଫୁଲ,
ଟିଆଁ ଚାଲିଲା
ପରୀକ୍ଷା ଦେବ
ହେବନି କେବେ ଭୁଲ।
ଫଳ ଯେଦିନ
ବାହାରିଗଲା
ଦେଖିଲା ନାଆଁ ନାହିଁ,
ଜାଣିଲା ସିଏ
ଗୁଣିଆଁ ପାଖେ
ଅଯଥା ଗଲା ଧାଇଁ।
ସେଦିନୁ ଆଉ
ବସିଲା ନାହିଁ
ପାଠରେ ଦେଲା ମନ,
ଶୁଖିଲା ମୁହଁ
ବଦଳିଗଲା
ଦିଶିଲା ଛନଛନ।
ଶିଖିଲା ଟିଆଁ
ଜୀବନ ପାଇଁ
ପାଠ ପଢ଼ାର ମୂଲ,
ଯାହା ବଳରେ
ଫୁଟି ବାସଇ
ଜୀବନ-ହସ-ଫୁଲ
∎
(ଅବସରପ୍ରାପ୍ତ ଶିକ୍ଷକ,ସତ୍ୟବାଦୀ)

ଲେଖା ସମ୍ପର୍କୀୟ ମତାମତ
ପ୍ରଭାତ ରଥ
24-02-2026 / 14:25:58
ପ୍ରଣାମ. କଳା ରଙ୍ଗର ସୁନ୍ଦର ଛୋଟ ଛୋଟ ଦେବ ବସ୍ତ୍ର କୁ କଳା କାଛେଣି ବୋଲି କୁହାଯାଏ.
Mohan Kumar swain
11-02-2026 / 19:16:37
କଳା କାଛେଣୀ ଶଦ୍ଦ କେଉଁଠି ଶୁଣିଲା ଭଳି ଲାଗୁନାହିଁ । ଲେଖି ଜଣାଇଲେ ଖୁସି ହେବି
Tapan kumar swain
03-02-2026 / 14:59:44
କବିତା ଟିରେ କଳା କାଛେଣୀ ଅର୍ଥ କଣ ବୁଝି ହେଲାଣି। ଦୟା କରି ଏହାର ଉତ୍ତର ରଖିବେ ସାର୍ ।